କଟକ ଅଫିସ,୧୩ା୯:ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତ ଚିକିତ୍ସିତ ହେଉଥିବା ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅର୍ଥୋପେଡିକ ୱାର୍ଡରୁ ଆରମ୍ଭ କରି ଫାଟକ ପର୍ଯ୍ୟନ୍ତ ସମସ୍ତ ସିସିଟିଭି ଯାଞ୍ଚ କରିଛି ପୋଲିସ। ହେଲେ ସିସିଟିଭିଗୁଡିକ ଅଚଳ ହୋଇପଡିଥିବାରୁ ଦୁଷ୍ମନ୍ତ କେଉଁ ସମୟରେ, କାହା ସହ ଯାଉଛନ୍ତି, ତାହାର ସ୍ପଷ୍ଟଚିତ୍ର ମିଳିପାରିନାହିଁ। ଅନ୍ୟପକ୍ଷରେ ଖୁବ୍ଶୀଘ୍ର ଦୁଷ୍ମନ୍ତ ବ୍ୟବହାର କରୁଥିବା ମୋବାଇଲ ଫୋନ୍ର କଲ ଡିଟେଲ ରେକର୍ଡ(ସିଡିଆର) ଯାଞ୍ଚ କରାଯିବ। ସେଥିପାଇଁ ମୋବାଇଲ ସିମ୍ର ଟେଲିକମ କମ୍ପାନୀରୁ ସିଡିଆର ମଗାଯିବ। ସେହିପରି ପରିବାର ଲୋକଙ୍କୁ ପଚରାଉଚୁରା କରାଯିବବୋଲି ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦୁଷ୍ମନ୍ତ ଗତ ବୁଧବାର ବିଧାନସଭା ନିକଟରେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାତାରାତି ମୃତଦେହ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏ ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲା ମଙ୍ଗଳାବାଗ ଥାନାକୁ ସ୍ଥାନାନ୍ତର ହୋଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ. ୨୨୧/୨୧) ରୁଜୁ କରି ତଦନ୍ତ ଚଳାଇଛି।