Advertisement

ହାଇକୋର୍ଟରେ ଏସ୍‌ସିବି ମେଡିକାଲ ଅଗ୍ନି ନିରାପତ୍ତା ମାମଲା: ହାଜର ହେଲେ ଅଗ୍ନିଶମ ଡିଜି

କଟକ,୧୩ା୩(କାର୍ତ୍ତିକ ସାହୁ): ଏସ୍‌ସିବି ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଂକ୍ରାନ୍ତ ମାମଲାରେ ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ହାଇକୋର୍ଟରେ ହାଜର ହୋଇଛନ୍ତି। ସେହିପରି ଏସ୍‌ସିବି ଅଧୀକ୍ଷକ ଡ. ସୁଧାଂଶୁ ଶେଖର ମିଶ୍ର ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝି ମଧ୍ୟ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅଗ୍ନିଶମ ଡିଜି ଡ. ଷଡ଼ଙ୍ଗୀ ଏସ୍‌ସିବି ମେଡିକାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ, ଏସ୍‌ସିବି ମେଡିକାଲର ମୋଟ୍‌ ୮୭ଟି କୋଠା ମଧ୍ୟରୁ ୬୨ଟି କୋଠାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ୧୪ଟି ପ୍ରକଳ୍ପ ପାଇଁ ସରକାରୀ ଅନୁମୋଦନ ନିମନ୍ତେ ପଠାଯାଇଛି। ଆଗାମୀ ୩ ମାସ ମଧ୍ୟରେ ମେଡିକାଲରେ ଅଗ୍ନି ନିର୍ବାପକ ଓ ଆଲାର୍ମ ବ୍ୟବସ୍ଥା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଅପରପକ୍ଷରେ ଅଗ୍ନି ନିରାପତ୍ତା ନିମିତ୍ତ ଅତିରିକ୍ତ ନିର୍ମାଣ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରିବାକୁ ଅଗ୍ନିଶମ ଡିଜି ହାଇକୋର୍ଟଙ୍କଠାରୁ ସମୟ ନେଇଛନ୍ତି। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସବିଶେଷ ତଥ୍ୟ ପ୍ରଦାନ କରିଥିବାରୁ ଅଗ୍ନିଶମ ଡିଜିଙ୍କୁ ପ୍ରଶଂସା କରିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ କାର୍ଯ୍ୟର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତ। ୮ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ବୃହତ୍‌ ଚିକିତ୍ସା ପ୍ରତିଷ୍ଠାନ ଏସ୍‌ସିବି ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ନେଇ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରିତାରେ ବିଳମ୍ବ ହେଉଥିବାରୁ ଅଦାଲତ ବିରକ୍ତି ପ୍ରକାଶ କରିଥିଲେ। ପୁନଃ ସତ୍ୟପାଠ ଦାଖଲ କରିବା ସହ ଅଗ୍ନିଶମ ଡିଜି ଓ ବିଭାଗୀୟ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ହେବା ଲାଗି ପୂର୍ବ ଶୁଣାଣିରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୈତ୍ରୀ ସଂସଦ ପକ୍ଷରୁ ଆଗତ ମାମଲାକୁ ଆଇନଜୀବୀ ଅଜୟ କୁମାର ମହାନ୍ତି ପରିଚାଳନା କରୁଛନ୍ତି।

Subscribe to Dharitri WhatsApp Channel

Share