ଯୁଦ୍ଧର ଛାତିଥରା ଦୃଶ୍ୟ,ଅନେକଙ୍କ ଜୀବନ ଗଲାଣି, ମାଟି ତଳେ ଦବି ରହିଛନ୍ତି ୧୧ ଶହରୁ ଅଧିକ…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ବୁଝାମଣା ହୋଇନାହିଁ। ଏହି ସମୟରେ, ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ଠାରୁ ଯୁଦ୍ଧ ଆରମ୍ଭ ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ୬୪ ପିଲାଙ୍କ ସମେତ ଅତି କମରେ ୮୪୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ମିଳିତ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ଅନୁଯାୟୀ, ଫେବୃଆରୀ ୨୪ ତାରିଖଠାରୁ ଇତିମଧ୍ୟରେ ୟୁକ୍ରେନର ୨,୨୪୬ ସାଧାରଣ ନାଗରିକ ହତାହତ ହୋଇଛନ୍ତି। ସେଥି ମଧ୍ୟରେ ୮୪୭ ଜଣଙ୍କ ଜୀବନ ଯାଇଥିବାବେଳେ ୧,୩୯୯ ଜଣ ଆହତ ହୋଇଛନ୍ତି। ଜାତିସଂଘ ଏଜେନ୍ସି ଅନୁସାରେ ମୃତାହତଙ୍କ ପ୍ରକୃତ ସଂଖ୍ୟା ଏହାଠାରୁ ବହୁତ ଅଧିକ। ଯୁଦ୍ଧର ଛାତିଥରା ଦୃଶ୍ୟ ଏବେ ମାନବ ସମାଜକୁ ବ୍ୟଥିତ କରିବାରେ ଲାଗିଛି।

ମାରିଆପୋଲର ଡ୍ରାମା ଥିଏଟରର ଧ୍ୱଂସାବଶେଷରୁ ବର୍ତ୍ତମାନ ସୁଦ୍ଧା ୧,୧୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ସେମାନେ ମାଟି ତଳେ ଦବି ରହିଛନ୍ତି। ଥିଏଟରର ତଳ ମହଲାରେ ୧,୩୦୦ ଲୋକ ଆଶ୍ରୟ ନେଇଥିଲେ। ସେଥିମଧ୍ୟରୁ କେବଳ ୧୩୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ଥିଏଟରଟି ସମ୍ପୂର୍ଣ୍ଣ ରୂପେ ଧ୍ୱଂସାବଶେଷରେ ପରିଣତ ହୋଇଛି। ସ୍ଥାନୀୟ ଜରୁରୀକାଳୀନ ସେବା ସହ ଜଡିତ ଲୋକଙ୍କ ଅନୁଯାୟୀ ଆକ୍ରମଣର ତିନି ଦିନ ପରେ ଶନିବାର ପର୍ଯ୍ୟନ୍ତ ଜାରି ରହିଥିବା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ବିଶେଷ ସଫଳତା ମିଳିି ନାହିଁ। ଅଧିକାଂଶ ମହିଳା ଓ ଶିଶୁ ଥିଏଟରରେ ଲୁଚି ରହିଥିଲେ। ଏହା ଉପରେ ରୁଷିଆ ଯୁଦ୍ଧ ବିମାନ ବୋମା ମାଡ଼ କରିଥିଲା।

ପ୍ରିୟ ପରିଜନଙ୍କୁ ଖୋଜି ପାଉ ନଥିବା ଲୋକଙ୍କ ଆଖିରୁ ଲୁହ ବୋହିବା ସହିତ ମନରେ କୋହ ବଢ଼ିବାରେ ଲାଗିଛି।

Share