ଅନୁସୂଚିତ ଜାତି ମହିଳାଙ୍କୁ ମିଳୁନି ପଦୋନ୍ନତି

କଟକ,୧୩।୭ (କାର୍ତ୍ତିକ ସାହୁ)କଟକ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଜଣେ ଅନୁସୂଚିତ ଜାତି ମହିଳା ବନ୍ଦନା ବେହେରାଙ୍କୁ ପଦୋନ୍ନତି ମିଳୁନି। ସେ ସିନିୟର ଆସିଷ୍ଟାଣ୍ଟ ପଦବୀରେ ଦୀର୍ଘ ୨୬ ବର୍ଷ ହେବ କାର୍ଯ୍ୟ କରିଆସୁଥିବାବେଳେ ତାଙ୍କୁ ଆଳ ଦେଖାଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦୋନ୍ନତି ଦିଆଯାଉ ନ ଥିବା ନେଇ ବନ୍ଦନା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ବନ୍ଦନା ଜୁନିୟର କିରାଣି ଭାବେ ୧୯୮୯ ଡିସେମ୍ବର ୨୨ରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୯୭ ଅକ୍ଟୋବର ୬ରେ ତାଙ୍କୁ ସିନିୟର ଆସିଷ୍ଟାଣ୍ଟ ଭାବେ ପଦୋନ୍ନତି ମିଳିଥିଲା। ସେବେଠାରୁ ସେହି ପଦବୀରେ ଅଦ୍ୟାବଧି ସେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ଜୁନିୟରମାନଙ୍କୁ ପଦୋନ୍ନତି ଦିଆଯାଉଥିବାବେଳେ ତାଙ୍କୁ ପଦୋନ୍ନତି ଦିଆଯାଉନାହିଁ। ସେ ଅନୁସୂଚିତ ଜାତିର ହୋଇଥିବାବେଳେ ଗ୍ରେଡେଶନ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ରହିଛି। ଗ୍ରେଡେଶନ ତାଲିକାକୁ ନେଇ ବରିଷ୍ଠତା ଭିତ୍ତିରେ ଯେକୌଣସି ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବାର ନିୟମ ରହିଥିବାବେଳେ ତାଙ୍କୁ ଉପେକ୍ଷା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଅନୁସୂଚିତ ଜାତି ପଦ ଖାଲି ନ ଥିବାରୁ ପଦୋନ୍ନତି ମିଳିପାରୁନାହିଁ ବୋଲି ତାଙ୍କୁ କୁହାଯାଉଛି। ଗତ ୪ ବର୍ଷ ମଧ୍ୟରେ ୫ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ଏବେ ଆଉ ୫ ଜଣଙ୍କ ତାଲିକା ପଦୋନ୍ନତି ପାଇଁ ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ୨ ଜଣଙ୍କୁ ପଦୋନ୍ନତି ଦିଆଯାଇସାରିଥିବା ଜଣାପଡିଛି। ଜୁନିୟରମାନେ ପର୍ଯ୍ୟାୟ କ୍ରମେ ପଦୋନ୍ନତି ପାଉଥିବାବେଳେ ତାଙ୍କୁ ପଦୋନ୍ନତି ଦିଆ ନ ଯାଇ ଏକପ୍ରକାର ମାନସିକ ନିର୍ଯାତନା ଦିଆଯାଉଥିବା ସେ କହିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆମରଣ ଅନଶନ କରିବା ସହ ଆବଶ୍ୟକ ପଡ଼ିଲେ ଆଇନ୍‌ର ଆଶ୍ରୟ ନେବେ ବୋଲି ବନ୍ଦନା କହିଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ଅଭିଯୋଗ ବାବଦରେ ଅବଗତ ଅଛି। ଏନେଇ ତର୍ଜମା ଓ ଆବଶ୍ୟକ ଯାଞ୍ଚ କରାଯାଉଛି। କୌଣସି ବ୍ୟତିକ୍ରମ ହୋଇଥିଲେ ତାହାକୁ ନିଶ୍ଚିତ ଭାବେ ସୁଧାରିବାକୁ ପଦକ୍ଷେପ ନିଆଯିବ।

Share