ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟରେ ପାଠପଢ଼ା ବନ୍ଦ

ନୂଆପଡ଼ା,୮।୧୦(ମକାରୁ ବେମାଲ)ନୂଆପଡା ଜିଲାରେ ୨୦୨୩ ଜୁନ ୧୯ରେ ଜିଲାପାଳଙ୍କ ପତ୍ରସଂଖ୍ୟା ୧୯୧୨ରେ ଜିଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ୭୯ ଶିକ୍ଷୟିତ୍ରୀ, ଶିକ୍ଷକ ଓ ୧୯ ଜଣ ପ୍ରଧାନ ଶିକ୍ଷକଙ୍କ ବଦଳି ଆଦେଶ ହୋଇଥିଲା। ସରକାରୀ ଆଦେଶକୁ ବେଖାତିର କରି ତତ୍କାଳୀନ ଜିଲା ମଙ୍ଗଳ ଅଧିକାରୀ ବଦଳି ପ୍ରକ୍ରିୟାକୁ ନିଜ ମନମୁଖୀ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅବିଭାବକ, ଜିଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ଜିଲାପାଳଙ୍କ ଠାରେ ବଦଳି ପ୍ରକ୍ରିୟାର ଅନିୟମିତତା ସମ୍ବନ୍ଧରେ ଅଭିଯୋଗ କରିଥିଲେ। ଖୁବଶିଘ୍ର ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷକ ଦିଆଯିବ ଓ ବଦଳିର ପୁନଃ ନବୀକରଣ କରାଯିବ ବୋଲି ଜିଲାପାଳ ହେମକାନ୍ତ ସାୟ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେଲା ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପତ୍ର ସଂଖ୍ୟା ୨୪୬୭, ୨୦୨୩ ଜୁଲାଇ ୨୦ରେ ଜିଲା ମଙ୍ଗଳ ଅଧିକାରୀ ନନ୍ଦି କିଶୋର ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି ଆଦେଶ ହେଲା। ନୂତନ ଜିଲା ମଙ୍ଗଳ ଅଧିକାରୀ ଯୋଗଦାନ କଲା ପରେ ବିଭାଗୀୟ ଶିକ୍ଷୟିତ୍ରୀ,ଶିକ୍ଷକ, ଅବିଭାବକ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ଚୁପ ରହିଛି। ଜିଲାରେ ଥିବା ୮ ଟି ଆଶ୍ରମ ବିଦ୍ୟାଳୟରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀରେ ବରିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରି କନିଷ୍ଠ ଶିକ୍ଷକମାନଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି। ଜିଲାରେ ଖାଲିଥିବା ସ୍ନାତକ ତାଲିମପ୍ରାପ୍ତ (ବିଇଡି) ପ୍ରଧାନ ଶିକ୍ଷକ ପଦବୀ ଗୋଟିଏ ଓ ୬ଟି ଯୁକ୍ତ ଦୁଇ ସିଟି ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଦୋନ୍ନତି କମିଟି ଡକା ଯାଇ ନାହିଁ କି ପଦୋନ୍ନତି ଦିଆଯାଇ ନାହିଁ। ସ୍ନାତକ ତାଲିମପ୍ରାପ୍ତ ବିଇଡି ପ୍ରଧାନ ଶିକ୍ଷକ ୩ ଜଣଙ୍କୁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି। ଆଶ୍ରମ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ଶିକ୍ଷକ ଅନୁପାତରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ପାଠପଢା ବନ୍ଦ ହୋଇ ଯାଇଛି। ଏଣୁ ସମସ୍ତ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଛାତ୍ର, ଶିକ୍ଷକ ଅନୁପାତରେ ଶିକ୍ଷକ ନିଯୁକ୍ତ, ଖାଲିଥିବା ପ୍ରଧାନ ଶିକ୍ଷକ ପଦୋନ୍ନତି ତାଲିକା ଭିତରେ ବରିଷ୍ଠ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ପଦରେ ନିଯୁକ୍ତି, ପ୍ରତି ଆଶ୍ରମ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷୟିତ୍ରୀ ଓ ଜଣେ ଲେଖାଏଁ ବିଜ୍ଞାନ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇ ଜିଲାପାଳ ହସ୍ତକ୍ଷେପ କରି ବଦଳି ନବୀକରଣ କରିବା ସକାଶେ ଅବିଭାବକ, ଶିକ୍ଷାବିତ, ଜନସାଧାରଣ ଓ ଶିକ୍ଷକ ମହଲରେ ଦାବି ହେଉଛି।

Share