ଭାରିଯାନ ଚଳାଚଳ ନେଇ ସମୟ ଧାର୍ଯ୍ୟ

ଯୋଡ଼ା,୧ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଭରିଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରାଯାଇଛି। କେନ୍ଦୁଝର ରିଜିଓନାଲ ଟ୍ରାନ୍ସପୋର୍ଟ ଅଥୋରିଟୀ ପକ୍ଷରୁ ୧୯ ଜୁଲାଇ ୨୦୨୩ ଚିଠି ସଂଖ୍ୟା ୪୪୪୨ରେ ଜିଲାପାଳ ଆଶିଷ ଠାକରେ ଏ ନେଇ ନୋଟିସ ଜାରି କରିଛନ୍ତି। ଏହା ୧୮ ଅଗଷ୍ଟ ୨୦୨୩ ରିଖ ପର୍ଯ୍ୟନ୍ତ ଜାରି ରହିବ।
ପ୍ରକାଶ ଯୋଗ୍ୟ, ଖଣିଜ ବୋଝେଇ ଭାରୀଯାନ ଗୁଡ଼ିକ ବ୍ୟବସ୍ଥିତ ଭାବରେ ଚଳାଚଳ କରୁ ନ ଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି। ଯାହାଦ୍ୱାରା ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଛାତ୍ରୀଛାତ୍ର, ଅଭିଭାବକ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚତ୍ ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ଭାରୀଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ରୁଗୁଡ଼ିରୁ ବିଲେଇପଦା ପର୍ଯ୍ୟନ୍ତ ସକାଳ ୮ ରୁ ୧୧, ଅପରାହ୍ନ ୩ ରୁ ରାତି ୮ ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ରହିବ, ସେହିପରି ବିଲେଇପଦାଠାରୁ ତାରିଣୀ ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ, ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ, ଯୋଡ଼ା ପୌରପାଳିକା ଓ ବଡ଼ବିଲ ପୌର ପାଳିକାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ନିଷେଧ ରହିବ। ଚମ୍ପୁଆ ଏନ୍‌ଏସି ଅଞ୍ଚଳରେ ସକାଳ ୮ଟା ରୁ ପୂର୍ବାହ୍ନ ୧୧ଟା, ଅପରାହ୍ନ ୩ଟାରୁ ୮ ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ କିଛି ଟ୍ରକ୍‌ ଚଳାଚଳ କରୁଛନ୍ତି। ଟଣ୍ଟ ବିଆର୍‌ ପିଏଲ କାରଖାନାଠାରୁ ଭଦ୍ରାସାହି ପର୍ଯ୍ୟନ୍ତ ରାସ୍ତା କଡ଼ରେ ଗାଡ଼ି ଠିଆ କରି ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଜିଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ବଡ଼ବିଲ ଆଞ୍ଚଳିକ ପରିବହନ ଅଧିକାରୀ କେବଳ ଆଣ୍ଟିସେପ୍ଟର ଗାଡ଼ି ଧରି ରାସ୍ତାରେ ଯାଞ୍ଚ କରୁଛନ୍ତି । ଯାହାଦ୍ୱାରା ଅତି ଭୟଙ୍କର ଟ୍ରାଫିକ ସମସ୍ୟା ଦେଖା ଦେଉଛି।