ଭୁବନେଶ୍ୱର, ୫।୪(ବ୍ୟୁରୋ): ୨୦୨୧-୨୨ ବର୍ଷ ପାଇଁ ସମସ୍ତ ବର୍ଗର ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ପ୍ରଦାନ କରୁଛି। ମେ’ ୫ ତାରିଖ ସୁଦ୍ଧା ଇ-ମେଧାବୃତ୍ତି (ୟୁଜି, ପିଜି, ବୈଷୟିକ ଏବଂ ବୃତ୍ତିଗତ) ପାଇଁ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ ଆଦେବନ କରିପାରିବେ। ମେ’ ୨୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟଙ୍କ ଦ୍ୱାରା ଅନ୍ଲାଇନ୍ ଭ୍ୟାଲିଡେଶନ ହେବ। ସେହିପରି ୟୁଜି (ଓଡ଼ିଆ) ଏବଂ ପିଜି (ଓଡ଼ିଆ) ପାଇଁ ଦିଆଯାଉଥିବା ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ନିମନ୍ତେ ଛାତ୍ରୀଛାତ୍ରମାନେ ମେ’ ୫ ସୁଦ୍ଧା ଆବେଦନ କରିବେ ଏବଂ ମେ’ ୨୦ ତାରିଖ ସୁଦ୍ଧା ଅନ୍ଲାଇନ୍ ଭ୍ୟାଲିଡେଶନ ହେବ। ଛାତ୍ରୀଛାତ୍ର ଯଦି ଅନ୍ଲାଇନ୍ ଆବେଦନ କିମ୍ବା ଅନ୍ଲାଇନ୍ ଭାଲିଡେଶନ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଟେଲିଫୋନ୍ ନଂ. ୦୬୭୪-୨୩୯୬୫୫୦ କିମ୍ବା ଷ୍ଟେଟ୍ ସ୍କଲାରଶିପ୍ ପୋର୍ଟାଲରେ ଯୋଗାଯୋଗ କରିପାରିବେ। ଏଥିସହିତ ଛାତ୍ରୀଛାତ୍ରମାନେ ଚାହିଁଲେ scholarshiphed@gmail.comକୁ ମେଲ୍ କରି ପଚାରି ବୁଝିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଇ-ମେଧାବୃତ୍ତି ଆବେଦନ ପାଇଁ ଏପ୍ରିଲ ୫ ଓ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ପାଇଁ ଏପ୍ରିଲ ୨୦ ତାରିଖ ଶେଷ ତାରିଖ ରହିଥିଲା।