ଏଣିକି ଯାଞ୍ଚ ହେବ ସ୍କୁଲ ବସ୍‌, ଖିଲାପ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୧ା୭: ଏଣିକି ସ୍କୁଲ ବସ୍‌ରେ ନିୟମିତ ଯାଞ୍ଚ ହେବ। ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବସ୍‌ ଭିତରେ ଅଗ୍ନି ନିରାପତ୍ତା ନିୟମ ଠିକ୍‌ ଭାବରେ ପାଳନ କରାଯାଉଛି କି ନାହିଁ ତାହା  ଯାଞ୍ଚ ହେବ। ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସବୁ ଆର୍‌ଟିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କଡ଼ା ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍‌ଭିଆର୍‌)ଅନୁଯାୟୀ, ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍‌ ଅନୁପାଳନ ହେବା ଅନିବାର୍ଯ୍ୟ। ଅଗ୍ନି ନିରାପତ୍ତା ନିୟମ ଠିକ୍‌ ଭାବରେ ପାଳନ ହେଉଛି କି ନାହିଁ ସେ ସମ୍ପର୍କରେ ବିଭିନ୍ନ ସମୟରେ ରାଜ୍ୟ ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରି ଆସିଥିବାବେଳେ ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ବସ୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ସମସ୍ତ ଜୋନ୍‌ ଉପପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ। କୌଣସି ସ୍କୁଲ ବସ୍‌ ଏହାର ଉଲ୍ଲଙ୍ଘନ କଲେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Share