ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହେଉଛନ୍ତି ସ୍କୁଲ ପିଲା

ଆର.ଉଦୟଗିରି,୨୮ା୭(ମନୋଜ କୁମାର ପାଢୀ): ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ନଦୀ ଗୁଡ଼ିକର ପାଣି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ସ୍କୁଲ ପିଲା ମାନେ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି। ଏଭଳିକି ସ୍କୁଲ ଶିକ୍ଷକଙ୍କ ବାଇକକୁ ଗାଁ ଲୋକେ ଭାର କରି ନେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଦୁର୍ଗମ ପୁରୁଣାପାଣି ପଞ୍ଚାୟତ ବାଦପୁର ଗାଁରେ। ନଦୀରେ ପାଣି ବଢିବା ଯୋଗୁଁ ଶିକ୍ଷକ ଓ ଛାତ୍ରୀଛାତ୍ର ନଦୀ ଆରପଟେ ରହିଯାଇଥିଲେ। ଗାଁ ଲୋକେ ଶିକ୍ଷକଙ୍କ ବାଇକ୍‌ ପାର କରିବା ସହ ସ୍କୁଲ ପିଲା ମଧ୍ୟ ନଦୀ ପାର ହୋଇ ସ୍କୁଲ ଯାଇଥିଲେ। ବାଦପୁର ଗାଁ କୁ ଲାଗିରହିଛି ଘୋଡାହାଡ ନଦୀ। ପ୍ରତିବର୍ଷ ବର୍ଷା ଦିନରେ ଏହି ନଦୀରେ ପାଣି ବଢିବା ସହ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି। ନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

Share