ସୋନୁଙ୍କୁ ମାମୁ ସମ୍ବୋଧନ କରି ଗୁହାରି କଲେ କୁନି କୁନି ଶିଶୁ

ମୁମ୍ବାଇ: ମଧ୍ୟପ୍ରଦେଶ ରିଓ୍ବା ଜିଲାର ଏକ ସ୍କୁଲରେ ପଢୁଥିବା କୁନି କୁନି ପିଲାମାନେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ମାମୁ ବୋଲି ସମ୍ବୋଧନ କରିଛନ୍ତି। ଏହାସହ ସେମାନେ ସୋନୁଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କହି ତାଙ୍କ ଗାଁରେ ଏକ ପକ୍କା ସଡ଼କ ନିର୍ମାଣ କରିବାକୁ ଗୁହାରି କରିଛନ୍ତି। ପିଲାମାନଙ୍କର ଅଭିଯୋଗ ହେଲା ଏ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସେମାନଙ୍କ ଗାଁରେ ସଡ଼କ ନିର୍ମାଣ ହୋଇ ପାରି ନାହିଁ। ଏକ ଭିଡିଓ ମାଧ୍ୟମରେ ପିଲାମାନେ କହିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶିବରାଜ ମାମୁଙ୍କୁ ଆମେ ଏହା ଜଣାଇଛୁ ହେଲେ ସେମାନେ କିଛି କାମ କରୁ ନାହାନ୍ତି। ତେଣୁ ସୋନୁମାମୁ ଆପଣ ଏକଥା ଟିକେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଅନ୍ତୁ ହେଲେ ଆମ ଗାଁ ରାସ୍ତା ନିର୍ମାଣ ହୋଇଯିବ। ଆଉ ଆମେ ସ୍କୁଲକୁ ଯାଇ ପାରିବୁ। ତେବେ ଉକ୍ତ ଭିଡିଓରେ ପିଲାମାନେ ଏକ ମାଟି ସଡ଼କ ଉପରେ ପାଣି କାଦୁଅରେ ଠିଆ ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଦେଶରେ କରୋନା ମହାମାରୀକୁ ନେଇ ଲକ୍‌ ଡାଉନ ଚାଲିଥିବା ବେଳେ ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିଲେ। ସେମାନଙ୍କର ସବୁପ୍ରକାର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏମିତିକି କେତେକ ବେରୋଜଗାରଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ର ଏହି ଖଳନାୟକ। ଯେଉଁଥିପାଇଁ ଏବେ ସେ ରିୟଲ ଲାଇଫର ନାୟକ ପାଲଟି ଯାଇଛନ୍ତି।

Share