ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ ଗୁରୁବାର ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଟାଙ୍ଗୀ- ଚୌଦ୍ୱାର ବ୍ଲକ ବାଣୀପଦା ପଞ୍ଚାୟତ ଅଧୀନରେ ଥିବା ଉତ୍କଳ ଇଣ୍ଟରନ୍ୟାଶନାଲ ସ୍କୁଲ ସ୍ବାଭାବିକ ଭାବେ ଚାଲୁ ରହିଥିବା ଦେଖିବାକୁ ମିଳିଛି। ସ୍କୁଲର ଏହି ନିଷ୍ପତ୍ତିକୁ ଅଭିଭାବକ ନାପସନ୍ଦ କରିଥିବାବେଳେ ସ୍କୁଲ ପକ୍ଷରୁ ପିଲାଙ୍କୁ ସମସ୍ତ ଛୁଟି ଦିନରେ ପାଠ ପଢିବାକୁ ଛାଡିବାକୁ ଏକ ମେସେଜ ଜାରି ହୋଇଛି।
ମୁତାବକ, ଗୁରୁବାର ସକାଳୁ ବିଦ୍ୟାଳୟ ବସ୍‌ରେ ଚୌଦ୍ୱାରର ସମସ୍ତ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ସାଧାରଣ ପୋଷାକରେ ସ୍କୁଲକୁ ଅଣାଯାଇ ପାଠପଢ଼ା ଚାଲିଥିଲା। ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ସ୍କୁଲ ଛୁଟି ଦିନରେ କାହିଁକି ଖୋଲା ରହିଛି ବୋଲି ସ୍କୁଲ ପ୍ରତିଷ୍ଠାତା ଗଣେଶ ପ୍ରସାଦ ବେହେରାଙ୍କୁ ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ କହିଥିଲେ ଏହି ସ୍କୁଲ୍‌ଟି ରାଜ୍ୟ ସରକାରଙ୍କ ନୁହେଁ, କେନ୍ଦ୍ର ସରକାରଙ୍କ ସ୍ବୀକୃତିପ୍ରାପ୍ତ, ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମକୁ ବନ୍ଦ କରିବାକୁ କୌଣସି ସୂଚନା ମିଳିନାହିଁ। ଯେବେ କେନ୍ଦ୍ର ସରକାର କିଛି ନିୟମ କରିବେ ଆମେ ତାକୁ ମାନିବୁ ବୋଲି ବେହେରା କହିଥିଲେ। ଅପରପକ୍ଷେ ଗତ ୨ ଦିନ ତଳେ କଟକରେ ଜନୈକ ଛାତ୍ରୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଘଟଣାର ଭୟ ଅଭିଭାବକଙ୍କ ମନରୁ ଲିଭିନି। ଅଭିଭାବକ ସାମ୍ନାକୁ ନ ଆସି ସ୍କୁଲ୍‌ର ଏଭଳି ମନମାନିକୁ ବିରୋଧ କରି ହ୍ବାଟର୍‌ସଆପ୍‌ ମାଧ୍ୟମରେ ମୋବାଇଲରୁ ମୋବାଇଲ୍‌ ଭାଇରାଲ କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ସ୍ବେଚ୍ଛାଚାରିତାକୁ ଲୋକଲୋଚନକୁ ଆଣିବାକୁ ଗଣମାଧ୍ୟମର ସହାୟତା ଲୋଡିଛନ୍ତି। ଏନେଇ ଜିଲା କିମ୍ବା ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Share