ସକାଳ ୭ରୁ ସ୍କୁଲ

ଭୁବନେଶ୍ୱର,୧।୩(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ୍‌ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ସୋମବାରଠାରୁ ପରିବର୍ତ୍ତିତ ସମୟ ଅନୁସାରେ ସ୍କୁଲ ଖୋଲିବା ସହ ପାଠପଢ଼ା ଚାଲିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ା ସକାଳ ୮ଟା ୩୦ରୁ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ। ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ ବଦଳରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ କରାଯିବ। ସ୍କୁଲ ସମୟ ନିର୍ଘଣ୍ଟରେ ହୋଇଥିବା ପରିବର୍ତ୍ତନକୁ ବିଭିନ୍ନ ସ୍ତରରୁ ବିରୋଧ କରାଯାଇଛି। ରବିବାର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଭାଜପା ବିଧାୟକ ମୋହନ ମାଝୀ ଏ ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ଛାତ୍ରୀଛାତ୍ରଙ୍କୁ ଅଧିକ କଷ୍ଟ ଦେବ। ବର୍ତ୍ତମାନ ଯେଉଁଭଳି ତାପମାତ୍ରା ରହୁଛି ଅପରାହ୍ନ ୧ଟାରେ ସ୍କୁଲ ଛୁଟି ହେବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଯଥାଶୀଘ୍ର ସରକାର ସେହି ସମୟକୁ ପରିବର୍ତ୍ତନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ଶୁକ୍ରବାର ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ(ଓଷ୍ଟା) ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯିବା ସହ ରବିବାର ସ୍କୁଲ ଆସିବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି। ସ୍କୁଲ ସମୟ ପରିବର୍ତ୍ତନ ନେଇ ବିଚାର ବିମର୍ଶ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

Share