ବଦଳିପାରେ ସ୍କୁଲ ଛୁଟି ସମୟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ସ୍ଥିତି ଦେଖି ସ୍କୁଲ ଛୁଟି ସମୟ ବଦଳିପାରେ। ଏପ୍ରିଲ ୩୦ ପରେ ଏସ୍‌ଆରସିଙ୍କ ପରାମର୍ଶରେ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ହିଟ୍‌ଓ୍ବେଭ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖାଯାଇଛି।  ଆଉ ୩ ଦିନ ହିଟଓ୍ବେଭ ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ ୩୦ ପରେ ସ୍ଥିତି ଦେଖି ରାଜ୍ୟ ସରକାର ଉଚିତ୍‌ ପଦକ୍ଷେପ ନେବେ। ଯେଉଁ ଛାତ୍ରୀଛାତ୍ର ସ୍କୁଲ ଆସୁନାହାନ୍ତି ସେମାନଙ୍କ ପାଇଁ ଅନ୍‌ଲାଇନ କ୍ଲାସ ଚାଲିଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସୂଚନାଯୋଗ୍ୟ, ପ୍ରତି ବର୍ଷ ଦେଢ଼ ମାସରୁ ଊର୍ଦ୍ଧ୍ୱ ଖରାଛୁଟି ହେଉଥିବା ବେଳେ ଚଳିତବର୍ଷ ଏହାକୁ ୧୦ ଦିନରେ ସୀମିତ ରଖିଛନ୍ତି ରାଜ୍ୟ ସରକାର। ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରବଳ ତାତିରେ ପିଲା ସ୍କୁଲ ଯିବା ଅସମ୍ଭବ ବୋଲି ବିରୋଧ କରିଥିଲେ ଅଭିଭାବକ ଓ ଶିକ୍ଷାବିତ୍‌। ଏହାପରେ ରାଜ୍ୟ ସରକାର ଗତ ୨୬ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

Share