ନଭେମ୍ବର ୧୬ରୁ ସ୍କୁଲ ଯିବେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦସ ବ୍ୟତୀତ ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହେବ। ତେବେ ଏହି ନିର୍ଦ୍ଦେଶନାମା ଅନୁସାରେ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ଉପରେ ରୋକ ଲଗାଯାଇଥିଲା । ରାଜ୍ୟରେ ଇତିମଧ୍ୟରେ କରୋନାକୁ ୭ମାସରୁ ଅଧିକ ଦିନ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲିବା ଉପରେ କଟକଣା ଲଗାଇଥିଲେ ସରକାର । କରୋନା ସମୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ ଜରିଆରେ ପାଠ ପଢୁଥିଲେ । ତେବେ କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।