କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୨୨।୯(ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ସ୍କୁଲ କଲେଜ ସୋମବାର କଟକଣା ମଧ୍ୟରେ ଖୋଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅନ୍‌ଲକ୍‌-୪ ଗାଇଡଲାଇନ୍‌ ଅନୁସାରେ ଦେଶର କେତେକ ରାଜ୍ୟରେ ସ୍ବେଚ୍ଛାକୃତ ଭାବେ ବିଦ୍ୟାଳୟଗୁଡ଼ିକୁ ଆଂଶିକ ଭାବେ ଖୋଲାଯାଇଛି। ନବମରୁ +୨ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସ୍କୁଲ୍‌ଗୁଡ଼ିକ ଆଂଶିକ ଖୋଲା ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗତ ୮ତାରିଖରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର(ଏସ୍‌ଓପି) ଜାରି କରିଥିଲେ। ଏହାକୁ ବାଧ୍ୟତାମୂଳକ କରା ନ ଯାଇ ଶିକ୍ଷକଙ୍କ ଠାରୁ ପିଲାମାନେ ଆସି ପାଠ ବୁଝିପାରିବେ ବୋଲି କୁହାଯାଇଥିଲା। ଏହି ଏସ୍‌ଓପି ଅନ୍‌ଲକ୍‌-୪ର ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଥିଲା। ନବମରୁ +୨ ମଧ୍ୟରେ ପଢ଼ୁଥିବା ପିଲାମାନେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ସେମାନଙ୍କ ସ୍କୁଲକୁ ଯାଇପାରିବେ। ସେଠାରେ ତାଙ୍କର ପଢ଼ାରେ ଯଦି କୌଣସି ସନ୍ଦେହ ରହିଥିବ ତାହା ବୁଝି ପାରିବେ। ଆଉ ଏଥିପାଇଁ ସମ୍ପୃକ୍ତ ପିଲାଙ୍କ ଅଭିଭାବକଙ୍କ ଲିଖିତ ସ୍ବୀକୃତି ରହିବା ଆବଶ୍ୟକ ବୋଲି କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ଏସ୍‌ଓପିକୁ ପାଳନ କରି ଆନ୍ଧ୍ରପ୍ରଦେଶ, ଜମ୍ମୁ କଶ୍ମୀର, ତାମିଲନାଡ଼ୁ, ପଞ୍ଜାବ, ନାଗାଲାଣ୍ଡ, ହିମାଚଳପ୍ରଦେଶ, ଆସାମ ଏବଂ ହରିୟାଣା ଆଦି ରାଜ୍ୟରେ ଆଂଶିକଭାବେ କେତେକ ବିଦ୍ୟାଳୟ ଖୋଲାଯାଇଛି। ଅପରପକ୍ଷରେ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲାଯାଇ ନାହିଁ। ସେଗୁଡ଼ିକ ମଧ୍ୟରେ ଓଡ଼ିଶା, କର୍ନାଟକ, ଗୋଆ, ଉରପ୍ରଦେଶ, ଦିଲ୍ଲୀ, ଗୁଜରାଟ ଏବଂ ଉତ୍ତରାଖଣ୍ଡ ଆଦି ରହିଛି।

Share