ଦିଲ୍ଲୀରେ ୧୦ ମାସ ପରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୧୮।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଗତ ୧୦ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ତେବେ ସୋମବାର ସ୍କୁଲ ଖୋଲିଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ବିଜୟ ସୂଚକ ଚିହ୍ନ ଦେଖାଇ ସ୍କୁଲରେ ପ୍ରବେଶ କରିଛନ୍ତି। ଆସନ୍ତା ମେ ମାସରେ ହେବାକୁଥିବା ବୋର୍ଡ ପରୀକ୍ଷା ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲା ଯାଇଛି। ରାଜ୍ୟ ସରକାର କରୋନା ମାର୍ଗଦର୍ଶିକା ପାଳନ କରି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିସ୍କୁଲ ଗେଟ୍‌ ପାଖରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଛାତ୍ର, ଶିକ୍ଷକ ତଥା ଅନ୍ୟ କର୍ମଚାରୀ ହାତରେ ସାନିଟାଇଜର ଲଗାଇବା ବାଧ୍ୟତାମୂଳକ। ସେହିପରି ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଅଭିଭାବକଙ୍କ ଅନୁମତି ନେଇ ଛାତ୍ରୀଛାତ୍ର ସ୍କୁଲକୁ ଆସିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share