ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବର ସ୍କୁଲ ଜୀବନ କଥା ଭାବିଲେ ସେତେବେଳର ପରିବେଶ ଏବକାଠାରୁ ନିଶ୍ଚିତ ଭିନ୍ନ ବୋଲି କୁହାଯାଇପାରେ। ବର୍ତ୍ତମାନ ଶିକ୍ଷା ଶୈଳୀ ଓ ଭିତ୍ତିଭୂମିରେ ଉନ୍ନତି ଘଟିଛି। ପରମ୍ପରିକ ଶିକ୍ଷା ସହ ଟେକ୍ନୋଲୋଜିର ପ୍ରବେଶ ସ୍କୁଲଶିକ୍ଷାକୁ ବ୍ୟାପକ କରିଛି। କିନ୍ତୁ ଅନେକ ସମୟରେ ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରକାଶ ପାଉଥିବା ହିଂସା ଓ ଆପରାଧିକ ମନୋଭାବ ଚିନ୍ତା ବଢ଼ାଇଦେଉଛି। ନିକଟରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ଘରୋଇ ସ୍କୁଲରେ ଜଣେ ୪ର୍ଥ ଶ୍ରେଣୀର ଛାତ୍ରକୁ ତା’ର ୩ ସହପାଠୀ ଜ୍ୟାମିତି କମ୍ପାସ୍ରେ ୧୦୮ ଥର ଭୁସିଛନ୍ତି। ଏହି ପିଲାମାନଙ୍କର ବୟସ ୧୦ ବର୍ଷରୁ କମ୍। କେବଳ ଏହି ଘଟଣା ନୁହେଁ, ବିଗତ ଦିନରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁମାନଙ୍କଠାରେ ହିଂସା, ନିଶାଦ୍ରବ୍ୟ ବ୍ୟବହାର, ବୁଲିଂ ଭଳି ନକାରାମତ୍କ ଆଚରଣର ଖବର ପ୍ରକାଶ ପାଇଛି। ଏକାଧିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସ୍କୁଲ ପିଲାମାନଙ୍କ ମଧ୍ୟରେ କ୍ରୋଧ ଓ ଅପରାଧପ୍ରବଣତା ବୃଦ୍ଧିପାଉଛି। ଏହା ବ୍ୟତୀତ ନ୍ୟାଶନାଲ ଡ୍ରଗ୍ସ ଡିପେଣ୍ଡେନ୍ସ ଟ୍ରିଟ୍ମେଣ୍ଟ ସେଣ୍ଟର ଦ୍ୱାରା ୨୦୨୦ରେ ୧୦ଟି ସହରରେ ୬୦୦୦ ସ୍କୁଲର ୮ମରୁ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ, ୧୦ ପ୍ରତିଶତ ପିଲା କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି। ଆମେରିକା ଓ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ହିଂସା ଓ ଅପରାଧ ପ୍ରତିଶତ କମ୍ ରହିଥିଲେ ମଧ୍ୟ ଏଭଳି ସମସ୍ୟା ପ୍ରତି ସତର୍କ ନ ରହିଲେ ଭବିଷ୍ୟତରେ ଏହା ଗମ୍ଭୀର ସ୍ଥିତିକୁ ଆମନ୍ତ୍ରଣ କରିବା ସମ୍ଭାବନା ଅଧିକ। କାରଣ ଭାରତରେ ବିଶ୍ୱର ସର୍ବାଧିକ ୪୫ କୋଟି ଶିଶୁ ଅଛନ୍ତି।