ଆଜିଠୁ ସ୍ବାଭାବିକ ଚାଲିବ ସ୍କୁଲ

ଭୁବନେଶ୍ୱର, ୨୪।୬ (ଅସମାପିକା ସାହୁ):ରାଜ୍ୟରେ ଏବେ ପାଗ ଅନୁକୂଳ ରହିଛି। ତେଣୁ ସୋମବାରଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ। ଏ ନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେ ରାଜ୍ୟରେ ପାଗ ଅନୁକୂଳ ରହିଛି। ତେଣୁ ସୋମବାରରୁ ସ୍କୁଲ ପୂର୍ବଭଳି ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମନ୍ତ୍ରୀ ଗଣିତ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଗଣିତ ଶିକ୍ଷକଙ୍କୁ ବ୍ଲକସ୍ତରରେ ପ୍ରଶିକ୍ଷଣ ଦିଆଯିବ ଏହାଦ୍ୱାରା ଗଣିତରେ ଛାତ୍ରୀଛାତ୍ରଙ୍କ ଭଲ ଜ୍ଞାନ ଆସିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗ୍ରୀଷ୍ମ ଅବକାଶ ପରେ ଗତ ୧୮ତାରିଖ ଦିନ ସ୍କୁଲ ଖୋଲିଥିଲା। ହେଲେ ଖରା ଓ ଗୁଳୁଗୁଳି ଜାରି ରହିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଜିଲାପାଳମାନଙ୍କୁ ଦେଇଥିଲେ। ତେଣୁ ରାଜ୍ୟର ସବୁ ଜିଲାରେ ସ୍କୁଲ ଖୋଲି ନ ଥିଲା। ଯେଉଁ ଜିଲାରେ ସ୍କୁଲଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଞ୍ଜରେ ଜିଲାପାଳମାନେ ୨୦ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ। ନୟାଗଡ଼ ଜିଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ସ୍ଥାନୀୟ ଜିଲାପାଳମାନେ ନିର୍ଦ୍ଦେଶ ଦେଇଥିଲେ।

Share