ଜୁଲାଇ ୧ରେ ଖୋଲିବନାହିଁ ସ୍କୁଲ

ଭୋପାଳ,୨୮।୬: କରେନାର ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ ହାର ଦିନକୁ ଦିନ ନିୟନ୍ତ୍ରଣ ହେବାରେ ଲାଗିଛି। ତେଣୁ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ରାଜ୍ୟଗୁଡ଼ିକରେ ସ୍କୁଲ ଖୋଲାଯିବା ନେଇ ଚର୍ଚ୍ଚା ହେଉଛି। ଇତିମଧ୍ୟରେ କରୋନାର ତୃତୀୟ ଲହର ପିଲାଙ୍କ ପାଇଁ ଅତ୍ୟନ୍ତ ବିପଦ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ସରକାର ସ୍କୁଲ ଖୋଲିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ରୁ ରାଜ୍ୟରେ ସ୍କୁଲ ଖୋଲାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଘୋଷଣା କରିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରରୁ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧ରୁ ରାଜ୍ୟରେ ସ୍କୁଲ ଖୋଲା ନ ଯିବା ସହ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ଓ ଟିଭି ମାଧ୍ୟମରେ ଶିକ୍ଷାଦାନ କରାଯିବ। ଅନ୍ୟପଟେ ରାଜ୍ୟରେ ସ୍କୁଲ ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଶେଷଜ୍ଞଙ୍କ ସହ ଆଲୋଚନା ଏବଂ ବିଚାର ବିମର୍ଶ କରିବେ। ଏହାପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share