୩ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ଆଦି ୩ ରାଜ୍ୟ ସରକାର ସମସ୍ତ ସ୍କୁଲ୍‌ କଲେଜକୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତିି। ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଶୀତ ଛୁଟି ଘୋଷଣା କରାଯାଇଛି। ତେବେ ପିଲାମାନଙ୍କର ଶିକ୍ଷାକୁ ଧ୍ୟାନରେ ରଖି ଅନଲାଇନ କ୍ଲାସ ପୂର୍ବ ପରି ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

ଓମିକ୍ରନ୍‌ ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିଟିରେ ରଖି ଦିଲ୍ଲୀର ସରକାର ୟେଲୋ ସତର୍କ ସୂଚନା ଜାରି କରିଛନ୍ତି। ଏଥି ସହିତ, ଗତ ଦୁଇ ସପ୍ତାହ ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହାର ୨-୩ ପ୍ରତିଶତରୁ ୨୫-୩୦ ପ୍ରତିଶତକୁ ବୃଦ୍ଧି ପାଇବା ପରେ ସମସ୍ତ ସ୍କୁଲ ଏବଂ କଲେଜ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶୀତଛୁଟି ଘୋଷଣା କରିଛନ୍ତି।

ହରିୟାଣା ସରକାର ମଧ୍ୟ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀକୁ ରୋକିବା ପାଇଁ ସିନେମା ହଲ, ପ୍ରେକ୍ଷାଳୟ, ବିଦ୍ୟାଳୟ, କଲେଜ, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଏବଂ ଜିମ ବନ୍ଦ କରିବାକୁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ, କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରାଯିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ବ୍ୟତୀତ ମଲ ଏବଂ ବଜାର ସା ପାଞ୍ଚଟା ସମୟରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହ କଟକଣା ଜାନୁଆରୀ ୧୨ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଉତ୍ତରପ୍ରଦେଶରେ ଓମିକ୍ରନ ସଙ୍କଟକୁ ଦୃଷ୍ଟିରେ ରଖି ନୋଏଡା, ଗାଜିଆବାଦ, ହାପୁର ଏବଂ ଗ୍ରେଟର ନୋଏଡାର ସମସ୍ତ ସ୍କୁଲ କଲେଜ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଦେଶ ଜାନୁଆରୀ ୧୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଗାଇଡଲାଇନ ଜାରି କରିନାହାଁନ୍ତି।

Share