Categories: ଜାତୀୟ

ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ

ବେଙ୍ଗାଲୁରୁ,୭।୭: ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ କର୍ନାଟକରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ତେବେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ସ୍କୁଲ, କଲେଜ ସବୁ ବନ୍ଦ କରି ଦିଆଯାଇଛି। ବନ୍ୟା ପ୍ରବଣ ଅଞ୍ଚଳ ଉପରେ ସର୍ଭେ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବାକୁ ମଧ୍ୟ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ, କର୍ନାଟକର ମାଙ୍ଗାଲୋର ଜିଲାରେ ବୁଧବାର ରାତିରେ ଭୁସ୍ଖଳନ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳର ପାଞ୍ଚ ଜଣ ଶ୍ରମିକ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ଭୁସ୍ଖଳନ ହେବା ଯୋଗୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକ ମାଟି କାଦୁଅ ତଳେ ପୋତି ହୋଇଯାଇଥିଲେ। ତେବେ ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଆଜି ସକାଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Share