ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ସୋମବାର ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ରଥଯାତ୍ରା ପାଇଁ କେବଳ ୭ ତାରିଖ ଦିନ ଛୁଟି ରହିଥିଲା। ଶିକ୍ଷା କ୍ୟାଲେଣ୍ଡରରେ ମଧ୍ୟ ରଥଯାତ୍ରା ଛୁଟି ରବିବାର ଥିଲା। ତେବେ ଚଳିତବର୍ଷ ଦୁଇଦିନ ରଥଯାତ୍ରା ପଡ଼ୁଥିବାରୁ ସରକାର ୮ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବାବେଳେ ଏବେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି।