ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ

ଲକ୍ଷ୍ନୌ,୨।୮: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ଏବେ ସ୍କୁଲ ଓ କଲେଜ ଖୋଲାଯାଉଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ୟୁପିରେ କୋଭିଡ ପ୍ରୋଟୋକଲ୍‌ ସହ ଅଗଷ୍ଟ ୧୬ରୁ ୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ସ୍କୁଲ ଖୋଲାଯିବ। ସ୍କୁଲରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏଥିସହ ଛାତ୍ରୀଛାତ୍ରମାନେ ସ୍କୁଲକୁ ଆସିବା ପାଇଁ ଅଭିଭାବକଙ୍କଠାରୁ ଏକ ଲିଖିତ ସହମତି ପତ୍ର ଆଣିବା ଜରୁରୀ। ବିନା ସହମତି ପତ୍ରରେ ସ୍କୁଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏନେଇ ସୋମବାର ଲୋକଭବନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଶିକ୍ଷା ବିଭାଗର ଅଧିକାରୀମାନେ ଏକ ବୈଠକ କରିଥିଲେ। ଏଥିରେ ସ୍କୁଲ ଖୋଲିବା ଓ କରୋନା ନିୟମ ପାଳନ ବିଷୟରେ ଆଲୋଚନା ହୋଇଥିଲା। ତେବେ ଦ୍ୱିପ୍ରହର ୨ଟା ୩୦ରେ ମଧ୍ୟ ଉକ୍ତ ବିଭାଗ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ସହ ଏକ ବୈଠକ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଦେଶର ଅନେକ ରାଜ୍ୟରେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଓ ଅଗଷ୍ଟ ୨ରୁ ସ୍କୁଲ ଖୋଲିଛି।

Share