Categories: ଖେଳ

ସ୍କୁଲ୍ସ ଚେସ୍‌: ନମସ୍ୟ ନଳିନୀଙ୍କୁ ଟାଇଟଲ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କେଦାରଗୌରୀ ସେଣ୍ଟ ଜାଭିୟର ହାଇସ୍କୁଲର ନମସ୍ୟ ନଳିନୀ ଚାମ୍ପିୟନ ହୋଇଛନ୍ତି। ସେ ପୂରା ୫ ପଏଣ୍ଟ ପାଇଛନ୍ତି। କଟକ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ଲଳିତ ରଞ୍ଜନ ସାହୁ ଓ କଟକ କେଭି-୧ର ଆୟୂଷ ଆର୍ଯ୍ୟନ ମହାପାତ୍ର ୪.୫ ପଏଣ୍ଟ ଲେଖାଏ ପାଇ ପରବର୍ତ୍ତୀ ୨ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସତ୍ୟମ ସ୍ବରୂପ ସାହୁ, ଦୀପ୍ତିରଞ୍ଜନ ସାହୁ, ସ୍ବସ୍ତିକ ବେହେରା, ପ୍ରିୟଦର୍ଶନ ରାୟ, ସିଦ୍ଧାର୍ଥ ମଲିକ, ଅଦିମାନନ ନାୟକ ଓ ଓମ୍‌ କ୍ରିଷ୍ଣା ପ୍ରଧାନ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହା ବ୍ୟତୀତ ୭, ୯, ୧୧, ୧୩ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୭ ଖେଳାଳିଙ୍କୁ ପ୍ରଦର୍ଶନ ଭିତ୍ତିରେ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ୪ ବର୍ଷୀୟ ଅନନ୍ୟା ମିଶ୍ର ଓ ଅନୁଶ୍ରୁତ ମିଶ୍ର (ଯାଆଁଳା) ପ୍ରତିଯୋଗିତାର ସର୍ବକନିଷ୍ଠ ଖେଳାଳି ଥିଲେ। ରାଉରକେଲାସ୍ଥିତ ହାଇ-ଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ଆଚାର୍ଯ୍ୟ, ସାମାଜିକ କର୍ମୀ ସଙ୍ଗୀତା ଷଡ଼ଙ୍ଗୀ ଓ ରାଜ୍ୟ ଗୁଇନ୍ଦା ଇନ୍‌ସ୍ପେକ୍ଟର ପ୍ରିୟଦର୍ଶିନୀ ନାୟକ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଓ ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ଉପସ୍ଥିତ ଥିଲେ।

Share