Categories: ଖେଳ

ସ୍କୁଲ୍ସ ଓପନ ଚେସ୍‌: ଆୟୁଷ ଚାମ୍ପିୟନ

ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଆୟୋଜିତ ୩ୟ ପବିତ୍ର ମୋହନ ମହାନ୍ତି ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ରେ କଟକ କେଭି-୧ର ଆୟୁଷ ଆର୍ଯ୍ୟନ ମହାପାତ୍ର ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଆର୍ଯ୍ୟନ ପୂରା ୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। କଟକ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ଲଳିତ ରଞ୍ଜନ ସାହୁ ମଧ୍ୟ ୫ ପଏଣ୍ଟ ପାଇଛନ୍ତି। ତେବେ ତାଙ୍କୁ ରନରଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାସ କୁମାର ବେହୁରିଆ, ସାୟେଂଶୁ ସେନାପତି, ଭିନିତ ନାୟକ, ସାଇ ଅଂଶୁମାନ ସିଂ, ଉଦୟ ପରିଡ଼ା, ଅଂଶୁମାନ ପତି, ଅଂଶୁମାନ ବେହେରା ଓ ସିଦ୍ଧାର୍ଥ ମଲିକ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ମୁଖ୍ୟ ପୁରସ୍କାର ବ୍ୟତୀତ ୭, ୯, ୧୧ ଓ ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ପୁରସ୍କାର ଏବଂ ଅନ୍ୟ ୬ ଜଣଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ୫ ବର୍ଷୀୟା ସୁଶ୍ରୀ ସଙ୍ଗୀତା ତ୍ରିପାଠୀ ପ୍ରତିଯୋଗିତାର ସର୍ବକନିଷ୍ଠ ପ୍ରତିଯୋଗୀ ଥିଲେ। ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ପ୍ରତିଯୋଗିତା ହୋଇଥିଲା। ଅଜୟ ବିନୟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଏମ୍‌ସିଏ ବିଭାଗ ମୁଖ୍ୟ ଅମରେଶ ସାହୁ ଏବଂ ଭୁବନେଶ୍ୱର ଟିସିଏସ୍‌ର ପ୍ରୋଜେକ୍ଟ ମ୍ୟାନେଜର ଜିତେନ୍ଦ୍ର କୁମାର ମହାପାତ୍ର ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଓ ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share