Categories: ଖେଳ

ସ୍କୁଲ୍ସ ଓପନ ଚେସ୍‌: ଭିନିତ ଚାମ୍ପିୟନ

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ମଦର୍ସ ପବ୍ଲିକ୍‌ ସ୍କୁଲ, ଖଣ୍ଡଗିରି ଆନୁକୂଲ୍ୟରେ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ବିଜେଇଏମ୍‌ ସ୍କୁଲ-୧ର ଭିନିତ ନାୟକ ପୂରା ୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଚରମ୍ପା, ଭଦ୍ରକ ସେଣ୍ଟ ଜାଭିୟର ହାଇସ୍କୁଲର ସାଇ ବିଦ୍ୟାଶ୍ରୀ ଓ ଭୁବନେଶ୍ୱର କେଭି-୧ର ଆଦର୍ଶ କୁମାର ବେରିହା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଭୟ ଖେଳାଳି ୪.୫ ପଏଣ୍ଟ ଲେଖାଏ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଇ ରଞ୍ଜନ ମିଶ୍ର, ଆଦିତ୍ୟ ଜେନା, ନୈନିକା ସାହୁ, ଶ୍ରେୟାସ କୁମାର ବେହୁରିଆ, ଦୀପ୍ତ ରଞ୍ଜନ ସାହୁ, ସାଇ ଅଂଶୁମାନ ସିଂ ଓ ଚନ୍ଦ୍ରତ ପୁହାଣ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ମୁଖ୍ୟ ପୁରସ୍କାର ବ୍ୟତୀତ ୭, ୯, ୧୧ ଓ ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୯ ଚେସ୍‌ ପ୍ରତିଭାଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ମଦର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲ୍ସର ଅଧ୍ୟକ୍ଷ ପଲୀ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଖଣ୍ଡଗିରି ମଦର୍ସ ପବ୍ଲିକ୍‌ ସ୍କୁଲର ପ୍ରିନ୍ସିପାଲ ସୁପ୍ରୀତ ରାଜପାଲ ଓ ସିନିୟର କ୍ରୀଡ଼ା ଶିକ୍ଷକ ଶିବାଜୀ ରାଉତ ଉପସ୍ଥିତ ରହି କୃତୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Share