ଖୋଲିବ ସ୍କୁଲ, ମିଳିବ ଇଣ୍ଟରନେଟ ସେବା, ବାଲେଶ୍ୱରରେ କର୍ଫ୍ୟୁ କୋହଳ

ବାଲେଶ୍ୱର,୨୩ ।୬(ମାନସ ବିଶ୍ୱାଳ): ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଗତ ରବିବାର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇ ଦିଆଯାଇଥିବା ବେଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଓ ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି କର୍ଫ୍ୟୁ କୋହଳ ସମୟ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ରବିବାର ସାରେ ସୋମବାର ଦିନ ଉକ୍ତ ସ୍ଥିତି ଉଭୟ ଥାନାରେ ବଳବତ୍ତର ରହିବ ବୋଲି ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ଆଶୀଷ ଠାକରେ ଓ ଜିଲା ଆରକ୍ଷୀ ଅକ୍ଷୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି । ଏଥିସହିତ ସୋମବାର ଠାରୁ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବା କେନ୍ଦ୍ର ଖୋଲିବାକୁ ଘୋଷଣା କରିଛି ଜିଲା ପ୍ରଶାସନ ।

ସହରରେ ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । ଜିଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଜନସାଧାରଣସ୍‌ଙ୍କ ସହଯୋଗ କାମନା କରିଛନ୍ତି । ଦ୍ୱିତୀୟତଃ ଲ୍ୟାଣ୍ଡଲାଇନ ଜରିଆରେ ବ୍ରଡ ବ୍ୟାଣ୍ଡ ଓ ୱାଇଫାଇ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି । ଆସନ୍ତା ସୋମବାର ଠାରୁ ଇଣ୍ଟରନେଟରେ ସମସ୍ତ ସେବା ଯୋଗାଇ ଦେବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଥିବାର ଜିଲାପାଳ ଶ୍ରୀ ଠାକରେ ସୂଚନା ଦେଇଛନ୍ତି ।
ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଗୋଷ୍ଠୀ ସଂଘର୍ଷ ମାମଲାରେ ସମୁଦାୟ ୨୧ଟି ମାମଲା ରୁଜୁ କରାଯାଇ ୮୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ ସର୍ଭେ ଜରିଆରେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସାମାଜିକ ଗଣମାଧ୍ୟମରେ ଆସୁଥିବା ଗୁଜବ ଉପରେ ନଜର ରଖାଯାଇ ସାଇବର ପାଟ୍ରୋଲିଂ ଆରମ୍ଭ ହୋଇଛି । ରାଜ୍ୟର ଅଭିଜ୍ଞ ଅଧିକାରୀ ଓ ଜିଲା ସାଇବର ସେଲର ଅଧିକାରୀଙ୍କୁ ଏହି ପାଟ୍ରୋଲିଂରେ ସାମିଲ କରାଯାଇଛି । କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି । ଗୁଜବ ସୃଷ୍ଟି କରୁଥିବା ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ପ୍ରକାଶ କରିଛନ୍ତି ।

Share