ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ସ୍କୁଲ, କଲେଜ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି। ହେଲେ ଏବେ ଧୀରେ ଧୀରେ ଲକ୍‌ଡାଉନ୍‌ ଖୋଲୁଛି। ଏହାରି ମଧ୍ୟରେ ଥାଇଲ୍ୟାଣ୍ଡରେ କଡ଼ା ନିୟମ ସହିତ ସ୍କୁଲଗୁଡିକ ଖୋଲାଯାଇଛି। ସ୍କୁଲ ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ କରାଯାଉଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି କଠୋର ନିୟମକୁ ଦେଖି କିଛି ଲୋକେ ପ୍ରଶଂସା କରୁଥିବା ବେଳେ ଆଉ କେତେକ ପିଲାମାନଙ୍କ ପାଇଁ ଏହା ଖରାପ ବୋଲି କହୁଛନ୍ତି। ଏହାକୁ ଦେଖିବା ପରେ ଭାରତରେ ଏହିପରି ସ୍କୁଲ ଖୋଲିବା ସପକ୍ଷରେ ଲୋକେ ଆସୁଛନ୍ତି।
ଥାଇଲ୍ୟାଣ୍ଡରେ ଗତ ଜୁଲାଇ ମାସରୁ ସ୍କୁଲ ଖୋଲା ଗଲାଣି। ହେଲେ ଏହା ପରଠାରୁ ଗୋଟିଏ ବି କରୋନା ମାମଲା ସମ୍ମୁଖକୁ ଆସି ନାହିଁ। ଏହାର କାରଣ ହେଉଛି ସ୍କୁଲରେ କଠୋର ନିୟମ। ଏଠାରେ ବିଦ୍ୟାଳୟରେ ଗୋଟିଏ କ୍ଲାସରେ ୨୫ରୁ କମ୍‌ ପିଲା ରହୁଛନ୍ତି। ଏଥିସହ ଶ୍ରେଣୀଗୃହର କବାଟ, ଝରକା, ଡେସ୍କ ସହ ସମସ୍ତ ସ୍ଥାନକୁ ଦିନକରେ ଅନେକ ଥର ସାନିଟାଇଜ କରାଯାଉଛି। ପାଠ ପଢ଼ିବା ସମୟରେ ପିଲାମାନେ ମାସ୍କ ପିନ୍ଧି ବସୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଗୃହ ବାହାରେ ହାତ ଧୋଇବା ପାଇଁ ବେଶିନ୍‌ ତିଆରି ହୋଇଛି। ପ୍ରତି କ୍ଲାସ ଶେଷ ହେବାପରେ ପିଲାମାନେ ହାତ ଧୋଉଛନ୍ତି। ସାମାଜିକ ଦୂରତା ରକ୍ଷା ନିମନ୍ତେ ମଧ୍ୟ ସେମାନଙ୍କୁୁ ଶିକ୍ଷା ଦିଆଯାଉଛି। ଖୋଳିବା ସମୟରେ ମଧ୍ୟ ପିଲାମାନଙ୍କୁ ପିଞ୍ଜରାରେ ରଖାଯାଉଥିବା ଦେଖିବାକୁ ମିଳୁଛି।

Share