ବିଜ୍ଞାନ ଦ୍ୱାରା ଯେ କୌଣସି ଦେଶ ଅବା ସମଗ୍ର ପୃଥିବୀର ବିକାଶ ସମ୍ଭବ ହୋଇ ପାରିଥାଏ। ବିଜ୍ଞାନକୁ ବିକାଶର ପାହାଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜ୍ଞାନ ଦ୍ୱାରା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିରକ୍ଷା, ସ୍ବାସ୍ଥ୍ୟ ସେବା, ମହାକାଶ ବିକାଶ, ଭୂଗର୍ଭରୁ ଉତ୍ତୋଳନ, ନିର୍ମାଣ, ଭିତ୍ତିଭୂମି, ପରିବହନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ତଥା ଦୈନଦିନ ଜୀବନର ବହୁ କାର୍ଯ୍ୟ ଜଡ଼ିତ ହୋଇ ରହିଥାଏ।
ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଭାରତରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥାଏ। ୧୯୨୮ ଫେବୃୟାରୀ ୨୮ରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସି.ଭି. ରମଣଙ୍କ ଦ୍ୱାରା ଆବିଷ୍କୃତ ରମଣ ଇଫେକ୍ଟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ୧୯୩୦ରେ ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସି.ଭି. ରମଣଙ୍କୁ ୧୯୩୦ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୮୬ରେ ନ୍ୟାଶନାଲ କାଉନସିଲ୍ ଫର୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି କମ୍ୟୁନିକେଶନ ପକ୍ଷରୁ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। ଏହାପରେ ୧୯୮୭ଠାରୁ ଏହି ଦିବସ ପାଳିତ ହୋଇ ଆସୁଛି। ଏହି ଦିବସ ପାଳନ ଅବସରରେ ସର୍ବସାଧାରଣ ଭାଷଣ, ରେଡିଓ, ଟିଭି, ବିଜ୍ଞାନ, ଚଳଚ୍ଚିତ୍ର, ଥିମ୍ ଏବଂ ନୂତନ ଚିନ୍ତାଧାରା ଉପରେ ଆଧାରିତ ବିଜ୍ଞାନ ପ୍ରଦର୍ଶନୀ, ତର୍କ, କୁଇଜ୍ ପ୍ରତିଯୋଗିତା, ବକ୍ତୃତା, ବିଜ୍ଞାନ ମଡେଲ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଦେଶବ୍ୟାପୀ ଅନୁଷ୍ଠିତ ହୋଇଥାଏ। ମାନବ କଲ୍ୟାଣ ପାଇଁ ବିଜ୍ଞାନର ଉପଯୋଗ ଉପରେ ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।