ସରୁନି ସାଇନ୍ସ ପାର୍କ, ପ୍ଲାନେଟାରିୟମ କାର୍ଯ୍ୟ

ରାଉରକେଲା,୧୬।୨(ଦିନେଶ ମିଶ୍ର): ରାଉରକେଲା ସହର ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ସହରର କେଉଁଠି ଷ୍ଟାଚ୍ୟୁ ନିର୍ମାଣ କରାଯାଉଛି ତ ଆଉ କେଉଁଠି ପାର୍କ। ଏସବୁ ଭିତରେ ସହରରେ ଏଭଳି କିଛି ଉନ୍ନତିମୂଳକ ପ୍ରକଳ୍ପ ରହିଛି ଯାହା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। କଳିଙ୍ଗ ବିହାର ସ୍ଥିତ ବିଏସ୍‌ଏନଏଲ ଛକ ନିକଟରେ ସାଇନ୍ସ ପାର୍କ ଓ ପା୍ଲନେଟୋରିୟମ୍‌ରେ ଏଭଳି ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ କଳିଙ୍ଗ ବିହାର ବିଏସ୍‌ଏନ୍‌ଏଲ ଛକ ନିକଟରେ ଏକ ସାଇନ୍ସ ପାର୍କ ଓ ପା୍ଲନେଟୋରିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ନିର୍ବାଚନ ପୂର୍ବରୁ ଶିଳାନ୍ୟାସ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ୭.୯ ଏକର ଜମିରେ ଏହି ପ୍ରକଳ୍ପ ୨୦୨୧ରୁ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ୪.୯ ଏକର ଜମିରେ ସାଢେ ୮ କୋଟି ଟଙ୍କା ବ୍ୟୟରେ ସାଇନ୍ସ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ୧୯,୭୦ କୋଟି ଟଙ୍କା ବ୍ୟୟରେ ଅବଶିଷ୍ଟ ଜମିରେ ଏକ ପ୍ଲାନେଟୋରିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସାଇନ୍ସ ପାର୍କ ପରିସରରେ ନିୟୁଟନଙ୍କ ମାଧ୍ୟାକର୍ଷଣ ବଳ, ଅଣୁପରମାଣୁର ମିଶ୍ରଣ ସହ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଓ ବୈଜ୍ଞାନିକମାନଙ୍କ ଆବିଷ୍କାରକୁ ସୂଚିତ କରାଯିବା କଥା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ସେହିପରି ପାର୍କ ଭିତରେ ବହୁ କାମ ବାକି ରହିଛି। ପାର୍କ ପରିସରରେ ପ୍ଲାନେଟୋରିୟମ ପାଇଁ ୨୦୨୧ ଏପ୍ରିଲ ୨୯ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ଜୁଲାଇ ୨୮ରେ ଶେଷହେବାର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଉକ୍ତ ସମସ୍ତ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ପାର୍କର ଏକାଧିକ କାମ ଶେଷ ହୋଇନାହିଁ। ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସାଇନ୍ସ ପାର୍କ ଭିତରେ ବୋଟିଂ ପ୍ରକଳ୍ପ ଶେଷ ହୋଇଥିବାବେଳେ ଏହାର ପ୍ରବେଶ ପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ପାର୍କ ଭିତରେ ଥିବା ପ୍ରାଣୀ ଉଦ୍ୟାନରେ କେତେକ ଜୀବଜନ୍ତୁଙ୍କ ମୂର୍ତ୍ତି ତିଆରି ହୋଇଛି। ସେମାନଙ୍କ ଜୀବନ ଶୈଳୀ ଉପରେ କୌଣସି ଟିପ୍ପଣୀ ପ୍ରଦାନ କରାଯାଇନାହିଁ। ସେହିପରି ପ୍ଲାନେଟୋରିୟମ୍‌ କାର୍ଯ୍ୟରେ ମଧ୍ୟ ଅବହେଳା ଦେଖିବାକୁ ମିଳିଛି। ଉକ୍ତ ପ୍ଲାନେଟୋରିୟମ୍‌ ପରିସରରେ ପାଥ୍‌ ୱେ ସାଙ୍ଗକୁ କୋଠା କାମ ନିର୍ମାଣ ଶେଷ ହୋଇପାରିନାହିଁ। ଏ ନେଇ ରାଉରକେଲା ଏଡିଏମ୍‌ ତଥା ଆର୍‌ଏମ୍‌ସି କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ବିସ୍ତୁତ ଆଲୋଚନା କରି କାର୍ଯ୍ୟ ବିଳମ୍ବର କାରଣ ବୁଝିବି। ପ୍ରକୃତ କାରଣ ଜାଣିବା ପରେ ଯଥାଶୀଘ୍ର କାର୍ଯ୍ୟ ସାରିବା ପାଇଁ ପଦକ୍ଷେପ ନେବି ବୋଲି କୁଲକର୍ଣ୍ଣି କହିଥିଲେ।

Share