ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା ଥମିବାର ନାଁ ଧରୁନି। ଭାରତ ଭଳି କେତେକ ଦେଶରେ ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହା ସହିତ ତୃତୀୟ ଲହର ଆଶଙ୍କା ନେଇ କୋକୁଆ ଭୟ ଦେଖାଦେଇଛି। ଦୁଇ ପ୍ରକାର ଭାକ୍ସିନ୍‌ ନେଲେ ଏହାର ପ୍ରଭାବ କ’ଣ ହେବ ସେ ନେଇ ଲାନ୍ସେଟ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମେ ଗୋଟିଏ ପ୍ରକାର ଡୋଜ୍‌ ଏବଂ ଦ୍ୱିତୀୟ ଥର ଅନ୍ୟ ଡୋଜ୍‌ ନେବା ଦ୍ୱାରା ଶରୀର ଉପରେ କୌଣସି ପ୍ରକାର ଗୁରୁତର ପ୍ରଭାବ ପଡ଼ି ନ ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହା ଦ୍ୱାରା ଅଧିକ ସମୟ ଧରି ମୁଣ୍ଡବିନ୍ଧା, ଥଣ୍ଡା ଏବଂ ଜ୍ୱର ଭଳି କେତେକ ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ସୃଷ୍ଟି ହୋଇଥାଏ। ଏସମ୍ପର୍କରେ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ହୋଇଥିଲା। ଗବେଷକମାନେ ୮୦୦ ଜଣ ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ପ୍ରଥମ ଡୋଜ୍‌ରେ ଆଷ୍ଟ୍ରାଜେନିକା ଏବଂ ପରେ ଦ୍ୱିତୀୟ ଡୋଜ୍‌ରେ ଫାଇଜର ଟିକା ଦେଇଥିଲେ। ଟିକାଦାନ କରାଯାଇଥିବା ବ୍ୟକ୍ତିଙ୍କ ଶରୀର ଲକ୍ଷଣକୁ ଅଧ୍ୟୟନ କରାଯାଇଥିଲା। ମାତ୍ର ସେଭଳି କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ସୃଷ୍ଟି ହୋଇ ନଥିବା ରିପୋର୍ଟ ଦର୍ଶାଯାଇଛି ବୋଲି ବିଶ୍ୱବିଦ୍ୟାଳୟର ପେଡିଆଟ୍ରିକ୍ସ୍‌ ଏବଂ ଭାକ୍ସିନୋଲୋଜି ପ୍ରଫେସର ମାଥ୍ୟୁ ସ୍ନାପେ ସୂଚନା ଦେଇଛନ୍ତି। ଦୁଇ ପ୍ରକାର ଟିକା ନେଇଥିବା ୧୦ ପ୍ରତିଶତ ଲୋକଙ୍କୁ ଅଧିକ ଥକ୍କା ଲାଗିଥିଲା। ଅପରପକ୍ଷରେ ଗୋଟିଏ ପ୍ରକାର ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୩ ପ୍ରତିଶତ ଥିଲା। ପ୍ରଥମ ଡୋଜ୍‌ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି କରୁଥିବାବେଳେ ଦ୍ୱିତୀୟ ଡୋଜ୍‌ ବୁଷ୍ଟର ଭାବେ କାମ କରିଥାଏ। ଆଗାମୀ ଦିନରେ ମୋଡେର୍ନା ଏବଂ ନୋଭାକ୍ସ୍‌ ଭାକ୍ସିନ୍‌ ଡୋଜ୍‌ ଉପରେ ଏଭଳି ପରୀକ୍ଷା କରାଯିବାର ଯୋଜନା ରହିଥିବା ସ୍ନାପେ ପ୍ରକାଶ କରିଛନ୍ତି।

Share