ବୈଜ୍ଞାନିକମାନେ ଦେଲେ ଆତ୍ମନିର୍ଭର ଭାରତର ପରିଚୟ: ମୋଦି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଭଳି ଦୁଇଟି ଟିକାକୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଟିକା ପ୍ରସ୍ତୁତିରେ ଲାଗିଥିବା ବୈଜ୍ଞାନିକମାନେ ଆତ୍ମନିର୍ଭର ଭାରତର ପରିଚୟ ଦେଇଛନ୍ତି। ଏହା ଅତ୍ୟନ୍ତ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ଡିସିଜିଆଇ ମଞ୍ଜୁରୀ ପରେ ଏବେ କରୋନା ମୁକ୍ତ ସ୍ବସ୍ଥ ଭାରତ ସମ୍ଭବ ହୋଇପାରିବ। ଟିକା ପ୍ରସ୍ତୁତିରେ ଦିନରାତି ପରିଶ୍ରମ କରିଥିବା ବୈଜ୍ଞାନିକ ଏବଂ ଗବେଷକଙ୍କୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲଗାତାର ୩ଟି ଟୁଇଟ୍‌ କରି ଏଭଳି କହିଛନ୍ତି। କରୋନା ଲଢ଼େଇରେ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧା ସାଜିଥିବା ଡାକ୍ତର, ମେଡିକାଲ ଷ୍ଟାଫ୍‌, ପୋଲିସ, ସଫେଇ କର୍ମଚାରୀ ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ସେ ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Share