ରୋମାନିଆ ମେୟର-ବିମାନ ଚଳାଚଳ ମନ୍ତ୍ରୀ ମୁହାଁମୁହିଁ

ରୋମାନିଆ,୪ା୩: ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେଶନ ଗଙ୍ଗା’କୁ ଜୋର୍‌ଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସେଠାରେ ଡେରା ପକାଇଛନ୍ତି ସିନ୍ଧିଆ। ହେଲେ ଭାରତୀୟ ଛାତ୍ରୀଛାତ୍ରଙ୍କ ସହ କଥାବାର୍ତ୍ତା ସମୟରେ ଉଭୟ ନେତାଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ୟୁକ୍ରେନ ଫେରନ୍ତା କିଛି ଛାତ୍ର ରୋମାନିଆର ଏକ ଶରଣାର୍ଥୀ ଶିବିରରେ ଥିବା ବେଳେ ସେମାନଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ସିନ୍ଧିଆ। କଥାବାର୍ତ୍ତା ସମୟରେ ମେୟର ତାଙ୍କୁ ଅଟକାଇ ଆପଣ କେବଳ ନିଜ କାମ କରନ୍ତୁ ବୋଲି କହିଥିଲେ। ଏଥିରେ ରାଗି ଯାଇଥିଲେ ସିନ୍ଧିଆ।

ମେୟର ବି ସିନ୍ଧିଆଙ୍କୁ କଡ଼ା ଜବାବ ଦେଇଥିଲେ। ଏହି ପିଲାମାନଙ୍କ ରହିବା, ଖାଇବା ବ୍ୟବସ୍ଥା ଆମେ କରୁଛୁ , ଆପଣ କରୁ ନାହାନ୍ତି ବୋଲି କହିଥିଲେ। ଆପଣ କେବଳ କେବେ ଏହି ପିଲାମାନଙ୍କୁ କେବେ ନେଇ ଫେରିବେ ସେ ବିଷୟରେ କୁହନ୍ତୁ। ଏହି ଯୁକ୍ତିତର୍କର ଭିଡିଓ ଏବେ ଭାଇରାଲ ହେଉଛି।

Share