ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ବଡ଼ବିଲ,୧।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ରେଳସାଇଡିଂ-ନୂଆ ବସ୍‌ଷ୍ଟାଣ୍ଡ ରାସ୍ତାରେ ଏକ ଗାଡ଼ି ଧକ୍କାରେ ରବିବାର ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ବିଲ ମହାନ୍ତି ବସ୍ତି ଅଞ୍ଚଳର ଚନ୍ଦ୍ରମୋହନ ମହାନ୍ତି(୫୫)।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରମୋହନ କଳିଙ୍ଗ ଲୌହ କାରଖାନାର ଇଲେକ୍ଟ୍ରିକାଲ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ସବୁଦିନ ଭଳି ରବିବାର ଘରୁ ଓଡି୦୯ଜି-୭୯୩୧ ନମ୍ବର ବିଶିଷ୍ଟ ଏକ ଆକ୍ଟିଭା ସ୍କୁଟି ଯୋଗେ କାମ କରିବାକୁ ଯାଉଥିଲେ। ହେଲେ ବାଟରେ ବଡବିଲ ରେଳସାଇଡିଂ-ନୂଆ ବସ୍‌ଷ୍ଟାଣ୍ଡ ରାସ୍ତାରେ କୌଣସି ଏକ ଗାଡ଼ି ସ୍କୁଟିକୁ ଧକ୍କା ଦେବା ସହ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର ହୋଇଯାଇଥିଲା। ଅନ୍ୟପକ୍ଷେ ଘଟଣାସ୍ଥଳରେ ଚନ୍ଦ୍ରମୋହନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ସହ ସ୍କୁଟି ଜବତ କରିଥିଲା। ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Share