ସ୍କୁଟି-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଧେରେଣ୍ଡି ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଶନିବାର ଏକ ବାଇକ-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ସ୍କୁଟି ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଦିଗପହଣ୍ଡି ବଜାର ସାହି ଗୁଣ୍ଡିଚା ମନ୍ଦିର ଛକର ଇ.ବାଲୁ। ସେ ହିଟାଚି ଚାଳକ ଭାବେ କାମ କରୁଥିଲେ।

ମିଳିଥିବା ସୂଚନା ମୁତାବକ, ବାଲୁ କୌଣସି କାମରେ ସ୍କୁଟି (ନଂ. ଓଡ଼ି୦୭ଟି-୪୦୧୫ ) ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଧେରେଣ୍ଡି ଗ୍ରାମର ଜାଗିଲି ନାୟକ ତାଙ୍କ ବାଇକ୍‌(ନଂ. ଓଡ଼ି୦୭ଏଡି୨୪୩୦) ଯୋଗେ ଦୃତଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲେ। ଉଭୟେ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲେ। ମୃତକଙ୍କ ସ୍ତ୍ରୀ ଇ.ଲକ୍ଷ୍ମୀଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନାରେ ଏକ ମାମଲା(ନଂ.୩୩୯/୨୪) ରୁଜୁ ହୋଇଛି।

ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ହସ୍ପିଟାଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଆହତ ବାଇକ୍‌ ଚାଳକ ଜାଗିଲିଙ୍କ ଚିକିତ୍ସା ପରେ ପୋଲିସ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣା ଗସ୍ତ ସ୍କୁଟି ଓ ବାଇକ୍‌କୁ ଜବତ କରିଛି।

Share