କାର୍‌ ସହ ସ୍କୁଟି ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ବୌଦ୍ଧ,୧୩।୧୦(ଅଜିତ କୁମାର ବାରିକ): ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅଡେନିଗାଡ଼ଠାରେ ରବିବାର ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଡେଣିଗାଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ ଏକ ସ୍କୁଟି ଯୋଗେ ଗୁଣ୍ଡୁରିସାହିରୁ ଘରକୁ ଫେରୁଥିଲେ। ହେଲେ ଅଡେନିଗାଡ ଟେଲିସାହି ନିକଟରେ ଚାରିଛକ ପଟୁ ଭୁବନେଶ୍ୱର ଯାଉଥିବା ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଚିତ୍ତରଞ୍ଜନ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ୬ ଘଣ୍ଟା ପରେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ପ୍ରତିଶ୍ରୁତି ଦେବା ସହ ବୁଝାଶୁଝା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

Share