ସ୍କୁଟିକୁ ପିଟିଲା ମାଲ ବୋଝେଇ କଣ୍ଟେନର: ରାସ୍ତା ମଝିରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୨୧ା୮: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ୬୦ ନଂ. ଜାତୀୟ ରାଜପଥ ମଧୁବନ ଢାବା ସମ୍ମୁଖରେ ଶୁକ୍ରବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ମାଲ ବୋଝେଇ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟିଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ବର ନୂଆବଜାର ଅଞ୍ଚଳର ଲକ୍ଷ୍ମୀଧର ପାତ୍ର । ଅନ୍ୟପଟେ କଣ୍ଟେନରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କୁରୁକୁରେ ପୋଡ଼ି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ କଣ୍ଟେନରଟି କଲିକତାରୁ ବାଲେଶ୍ବର ଆଡ଼କୁ ଆସୁଲା ବେଳେ ସ୍କୁଟିକୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ତେବେ ସ୍କୁଟିରୁ ନିଆଁ ବାହାରି କଣ୍ଟେନରରେ ଲାଗି ଯାଇଥିଲା। ଘଟଣା ସ୍ଥଳରେ ଜଳେଶ୍ବର ଓ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା।