ସରକାରୀ ବସ୍‌କୁ ଧକ୍କା ଦେଲା ସ୍କର୍ପିଓ, ୩ ଗୁରୁତର

ସୁନ୍ଦରଗଡ,୧।୧(ଡି.ଏନ୍‌.ଏ)- ସୁନ୍ଦରଗଡ଼ ସହର ଉପକଣ୍ଠ ରାଣୀବଗିଚା ବାଇପାସ ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଆସିକା ଯାଉଥିବା ସରକାରୀ ଯାତ୍ରୀବାହୀ ବସ୍‌କୁ ଝାରସୁଗୁଡା ପଟୁ ସହର ମଧ୍ୟକୁ ପ୍ରବେଶ କରୁଥିବା ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା ଫଳରେ ଏହି ଦୁର୍ଘଟଣାରେ ବସ୍‌ ଓ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଛି। ସ୍କୋର୍ପିଓରେ ଥିବା ୩ଜଣ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଓଡି ୧୪ଏମ୍‌ ୨୨୬୭ ନଂ. ବିଶିଷ୍ଟ ସରକାରୀ ବସ୍‌ ରାଉରକେଲାରୁ ଆସିକା ଯାଉଥିବା ବେଳେ ସୁନ୍ଦରଗଡ ରାଣୀବଗିଚା ବାଇପାସଛକରେ ସହର ମଧ୍ୟକୁ ପ୍ରବେଶ କରୁଥିଲା। ଏହି ସମୟରେ ଝାରସୁଗୁଡା ପଟୁ ବିଜୁ ଏକ୍ସପ୍ରେସ୍‌ରେ ଆସି ସହର ମଧ୍ୟକୁ ପ୍ରବେଶ କରୁଥିବା ଓଡି ୧୬ବି ୦୭୦୫ ନଂ. ବିଶିଷ୍ଟ ସ୍କର୍ପିଓ ବସ୍‌କୁ ଧକ୍କା ଦେଇଥିଲା। ହେଲେ ବସ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍କର୍ପିଓରେ ଥିବା ୩ଜଣ ଆହତ ହୋଇଛନ୍ତି। ଖବରପାଇ ଟାଉନ୍‌ ଥାନା ପୋଲିସ ଓ ସୁନ୍ଦରଗଡ ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା ପହଞ୍ଚି ବସ୍‌ ଓ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ଘରୋଇ ବସରେ ପଠାଯାଇଛି । ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।