ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୩: କରୋନା ସମୟରେ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ କରି ବ୍ରହ୍ମପୁର ଶିଳ୍ପ ତାଲିମ୍‌ ବୈଷୟିକ ଅନୁଷ୍ଠାନ ୭୨ତମ ସ୍କଚ୍‌ ସମିତିରେ ଶନିବାର ସ୍ବର୍ଣ୍ଣ ବିଜେତା ଭାବେ ସ୍କଚ୍‌ ଆୱାର୍ଡ଼ ହାସଲ କରିଛି। ଛାତ୍ରୀଛାତ୍ରମାନେ ସ୍ମାର୍ଟ ସ୍ବାବ୍‌ ସଂଗ୍ରହ, ସ୍ମାର୍ଟ ୟୁଭିସି ସୋଲ୍‌ ସାନିଟାଇଜର୍‌, ୟୁଭିସି ରୋବୋ ୱାରିଅର୍‌, ୟୁଭିସି ସାନିଟାଇଜର୍‌, ଏରୋସୋଲ୍‌ ବକ୍ସ ଓ ସ୍ବୟଂଚାଳିତ ସାନିଟାଇଜର୍‌ ମେଶିନ୍‌ ନିର୍ମାଣ କରିଥିଲେ। ଏଥିମଧ୍ୟରୁ ୟୁଭିସି ରୋବୋ ୱାରିଅର୍‌, ମୋବାଇଲ୍‌ ସ୍ବାବ୍‌ ସଂଗ୍ରହ କିସୋକ୍‌, ୟୁଭିସି ସୋଲ୍‌ ସାନିଟାଇଜର୍‌ ଓ କୋଭିଡ୍‌ ସିକ୍ୟୁରିଟି ସିଷ୍ଟମ୍‌ ପ୍ରମୁଖ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତରେ ୨୦୨୦ମେରେ ସ୍ଥାନ ପାଇଥିଲା। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ୟାବିନେଟ୍‌ ମନ୍ତ୍ରୀ (ଦକ୍ଷତା ବିକାଶ) ଡ.ମହେନ୍ଦ୍ର ନାଥ ପାଣ୍ଡେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିଲେ। ଶନିବାର ସ୍କଚ୍‌ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ଭର୍ଚୁଆଲ୍‌ ବୈଠକରେ ଆଇଟିଆଇକୁ ସ୍କଚ୍‌ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ଏ ନେଇ ଅନୁଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ସଫଳତାର ଶ୍ରେୟ ସମସ୍ତ କୋଭିଡ଼୍‌ ଯୋଦ୍ଧାଙ୍କୁ ଦେଇଛନ୍ତି।

Share