ମାଗଣାରେ ମିଳିବ ସାନିଟାରି ନାପକିନ୍‌

ଇଡିନ୍‌ବର୍ଗ,୧୪।୮: ବିଶ୍ୱର ପ୍ରଥମ ଦେଶ ଭାବେ ସ୍କଟଲାଣ୍ଡ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ୍‌ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏନେଇ ପାର୍ଲାମେଣ୍ଟରେ ଏକ ବିଲ୍‌ ପାରିତ ହୋଇଛି। ସୋମବାରଠାରୁ ଦେଶବ୍ୟାପୀ ଏହି ବିଲ୍‌ ଲାଗୁ କରିବାକୁ ସ୍କଟଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମାଗଣାରେ ସାନିଟାରି ନାପ୍‌କିନ୍‌ ବଣ୍ଟନ ନେଇ ସ୍କଟଲାଣ୍ଡ ଫାଷ୍ଟ ମିନିଷ୍ଟର ନିକୋଲା ଷ୍ଟରଜିଓନ ଏହି ଯୋଜନା ଆଣିବାକୁ ସଂସଦରେ ଦାବି କରିଥିଲେ। ପାର୍ଲାମେଣ୍ଟରେ ବିଲ୍‌ ପାରିତ ହେବା ପରେ ପାଷ୍ଟ୍‌ ମିନିଷ୍ଟର ଏହାକୁ ପ୍ରଶଂସା କରିଛନ୍ତି। ଦରବୃଦ୍ଧି ଯୋଗୁ ଜନସାଧାରଣ ଆବଶ୍ୟକ ସାମଗ୍ରୀ ପୂରଣ କରିବାରେ ସକ୍ଷମ ହୋଇପାରୁ ନ ଥିବାବେଳେ ଏହା ଦ୍ୱାରା ଜନସାଧାରଣ ଲାଭବାନ ହୋଇପାରିବ ବୋଲି ସାମାଜିକ ନ୍ୟାୟ ସଚିବ ଶୋନା ରୋବିସୋନ ପ୍ରକାଶ କରିଛନ୍ତି। ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ସମସ୍ତ ଶିକ୍ଷାନୁଷ୍ଠାନରେ ସାନିଟାରି ନାପକିନ୍‌ ମହଜୁଦ ରଖିବା ନେଇ ବିଲ୍‌ରେ ଉଲ୍ଲେଖ କରାଯାଇଛି। ମହିଳାଙ୍କୁ ଅଧିକ ସୁବିଧା ଯୋଗାଇଦେବା ନେଇ ସରକାର ‘ହେ ଗାର୍ଲସ୍‌’ ନାମରେ ଏକ ଆପ୍‌ର ଶୁଭାରମ୍ଭ କରିବେ। ଏହି ଆପ୍‌ ମାଧ୍ୟମରେ ମହିଳାଙ୍କୁ ସହଜରେ ଏବଂ ମାଗଣାରେ ସାନିଟାରି ନାପ୍‌କିନ୍‌ ମିଳିପାରିବ।

Share