ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍‌ ଅଭିଯାନ …

ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍‌ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ବେଜିଂରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବେଜିଂରେ ୨ କୋଟିରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ସୋମବାର ବେଜିଂର ବ୍ୟବସାୟ, ବିଦେଶ ଦୂତାବାସର ଚାଓୟାଙ୍ଗ ଜିଲାରେ ବ୍ୟାପକ କରୋନା ପରୀକ୍ଷା ଆରମ୍ଭ କରାଯାଇଛି। ଏହି ପାଞ୍ଚ ଦିନିଆ ଅଭିଯାନର ଏକ ଅଂଶ ଭାବରେ ସୋମବାର ଅସ୍ଥାୟୀ ପରୀକ୍ଷା କେନ୍ଦ୍ରରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା।

ସୋମବାର ରାତି ଆଠଟା ସୁଦ୍ଧା ୩୭ ଲକ୍ଷରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ପରୀକ୍ଷା ଜାରି ରହିଥିଲା। ଅଧିକାରୀମାନେ କହିଛନ୍ତି ଯେ ଏଥିରୁ ପ୍ରାୟ ପାଞ୍ଚ ଲକ୍ଷ ରିପୋର୍ଟ କରୋନା ନେଗେଟିଭ୍‌ ଆସିଛି। ମଙ୍ଗଳବାର ଦିନ ଏହି ପରୀକ୍ଷା ଜାରି ରହିବ ଏବଂ ବେଜିଂର ପାଞ୍ଚଟି ଜିଲାରେ ଏହା କରାଯିବ। ଏହି ଜିଲାଗୁଡ଼ିକରେ ବେଜିଂର ମୋଟ ୨.୧୫ କୋଟି ଲୋକଙ୍କ ମଧ୍ୟରୁ ୧.୯୫ କୋଟି ଲୋକ ବାସ କରନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବେଜିଂରେ ୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଟେଷ୍ଟ ଅଭିଯାନ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା।

ବେଜିଂର ଚାଓୟାଙ୍ଗ ଜିଲାର ଲୋକଙ୍କୁ ସୋମବାର, ବୁଧବାର ଏବଂ ଶୁକ୍ରବାର ସପ୍ତାହରେ ତିନି ଦିନ କରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରାଜଧାନୀର ସମୁଦାୟ ୧୧ ଟି ଜିଲାର କୋଟି କୋଟି ଲୋକଙ୍କୁ ସପ୍ତାହରେ ତିନିଥର ନମୁନା ପରୀକ୍ଷା କରିବାକୁ ପଡିବ।

Share