ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। ଲଗାତାର ୫ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି। ୨୧ ରୁ ୨୫ ଏପ୍ରିଲ୍ ମଧ୍ୟରେ ଗତ ୪ ଦିନ ମଧ୍ୟରେ ୧୭ ଲକ୍ଷରୁ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୨ ହଜାର ୯୯୧ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨୮୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତିମଧ୍ୟରେ ଦେଶରେ ୨୭ କୋଟି ୯୩ ଲକ୍ଷ ୨୧ ହଜାର ୧୭୭ ଜଣଙ୍କ ନମୁନା ପରୀକ୍ଷା ଶେଷ ହୋଇଥିବା ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି। ନୂଆ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଥିବାରୁ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଶ୍ମଶାନରେ ଦିନରାତି ଚିତା ଲିଭୁ ନ ଥିବାବେଳେ ଆତ୍ମୀୟ ସ୍ବଜନଙ୍କୁ ଅସମୟରେ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖିବାର ନାଁ ଧରୁନି।