ଦୁର୍ଗତଙ୍କ ଆକୁଳ ଚିତ୍କାର,ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ଟପିଲା ୨ ହଜାର…

ରାବାତ,୧୦।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରିଛି। ମୋରୋକୋରେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁନରୁଦ୍ଧାର ପାଇଁ ବହୁତ ସମୟ ଲାଗିବ ବୋଲି କୁହାଯାଉଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ମୋରୋକୋରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ୭୨ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା। ମୋରୋକୋ ସରକାର କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ ୨୦୧୨ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୦୫୯ ଲୋକ ଆହତ ହୋଇଛନ୍ତି। ଏଥିମଧ୍ୟରୁ ୧୪୦୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଚାରି ଆଡେ ଭୂକମ୍ପ ଦୁର୍ଗତଙ୍କ ଆକୁଳ ଚିତ୍କାର ଶୁଣାଯାଉଛି।

ଲୋକମାନେ କହିଛନ୍ତି ମରକ୍କୋର କାସାବ୍ଲାନଙ୍କ ଏବଂ ରାବାତରେ ମଧ୍ୟ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି। ଲୋକେ ଘରେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ସେମାନେ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ। କୁହାଯାଉଛି ଗତ ୧୨୦ ବର୍ଷ ମଧ୍ୟରେ ଉତ୍ତର ଆଫ୍ରିକା ଦେଶ ମୋରୋକୋରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଥିଲା।

ଭୂକମ୍ପ ପରେ ଲୋକମାନେ ପ୍ରଭାବିତ ଅଞ୍ଚଳରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି। ମୋରୋକୋ ସରକାର କହିଛନ୍ତି ସମ୍ବଳ ସଂଗ୍ରହ କରାଯାଇଛି ଏବଂ ପ୍ରଭାବିତ ଅଞ୍ଚଳକୁ ସହାୟତା ପଠାଯାଇଛି। ଲୋକଙ୍କୁ ରକ୍ତ ଦାନ କରିବାକୁ ନିବେଦନ କରାଯାଇଛି। ଫିଲ୍ଡ ହସ୍ପିଟାଲ ନିର୍ମାଣ କରି ସେନା ଲୋକଙ୍କ ଚିକିତ୍ସା ଆରମ୍ଭ କରିଛି। ମୋରୋକୋରେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏହାର ମୂଲ୍ୟାଙ୍କନ କରାଯାଉଛି।

Share