କୋହିମା,୧୯ ।୯: କରୋନା ଭାଇରସ ସଂକ୍ରମଣରେ ସାରା ଦେଶ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ନାଗାଲାଣ୍ଡ ମଧ୍ୟ ଏଥିରୁ ବାଦ୍ ଯାଇନାହିଁ । ହେଲେ କରୋନାର ପ୍ରକୋପ ନ କମୁଣୁ ଶନିବାର ନାଗାଲାଣ୍ଡ ପ୍ରଶାସନ ସ୍କ୍ରବ୍ ଟାଇଫସ୍ କଥା କହି ପୁଣି ଚିନ୍ତା ବୃଦ୍ଧି କରିଛି । ନାଗାଲାଣ୍ଡ ନୋକଲାକ ଜିଲା ପ୍ରଶାସନ ଏହି ସୂଚନା ଦେଇଛି । ନୋକଲାକର ସବ୍ ଡିଭିଜନାଲ ଅଫିସର(ସିଭିଲ) ସି ଫୁନିୟାଙ୍ଗ କହିଛନ୍ତି କମ୍ୟୁନିଟି ହେଲ୍ ଥ ସେଣ୍ଟରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରୁ ଏଠାରେ ୬୧୮ ପଜିଟିଭ ସ୍କ୍ରବ ଟାଇଫସ୍ ରୋଗୀ ଦେଖା ଦେଲେଣି । ତେବେ ଅତିକମ୍ରେ ଏହି ସଂକ୍ରମଣରେ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । କୁହାଯାଉଛି ସ୍କ୍ରବ୍ ଟାଇଫସ୍ ଏକ ଜୀବାଣୁ ଦ୍ୱାରା ସୃଷ୍ଟି ହୋଇଥାଏ । ଏଥିରେ ସଂକ୍ରମିତ ଥିବା ଚିଗର(ଲାର୍ଭାଲ ମାଇଟ୍) କାମୁଡିବା ଦ୍ୱାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ଏହାର ସାଧାରଣ ଲକ୍ଷଣ ହେଉଛି, ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା ଓ ବେଳେ ବେଳେ ଶରୀରରେ ଦାଗ ସବୁ ଦେଖାଯାଏ । ଏମିତି କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ସରକାର କହିଛନ୍ତି ।