ରୋହତାସ, ୧୧।୪ : ବିହାରର ରୋହତାସ ଜିଲାରେ ହୋଇଥିବା ଲୁହା ପୋଲ ଚୋରି ମାମଲାରେ ୨ ସରକାରୀ ଅଧିକାରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି। ସରକାରୀ ଅଧିକାରୀଙ୍କ ମଧ୍ୟରେ ଜଣେ ଅନୁମଣ୍ଡଳ ଏବଂ ଅନ୍ୟଜଣେ ପାଣିପାଗ ବିଭାଗର ଅଫିସର ରହିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପାଣିପାଗ ବିଭାଗ ଅଧିକାରୀ ଅରବିନ୍ଦ କୁମାର ପୋଲ ଚୋରିର ନେତୃତ୍ୱ ନେଇଥିଲେ। ଗ୍ୟାସ୍ କଟର ଏବଂ ଅନ୍ୟ ଉପକରଣରେ ପୋଲ କଟାଯାଇଥିଲା। ଏହାର ମାଷ୍ଟର ମାଇଣ୍ଡ ଏସ୍ଡିଓ ରାଧେ ଶ୍ୟାମ ସିଂ ବୋଲି ପୋଲି ପକ୍ଷରୁ କୁହାଯାଇଛି। ଏସ୍ଡିଓ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଚୋରିରେ ବ୍ୟବହୃତ ହୋଇଥିବା ଜେସିବି, ପିକ୍ ଅପ୍ ଭ୍ୟାନ୍, ଗ୍ୟାସ୍ କଟରକୁ ଜବତ କରାଯାଇଛି।
ସୋସିଆଲ ମିଡ଼ିଆରେ ଚୋରମାନେ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର ଲୁହା ପୋଲକୁ ତିନି ଦିନ ମଧ୍ୟରେ ଚୋରାଇ ନେଇଥିବା ଖବର ଭାଇରାଲ ହେବାପରେ ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଚୋର ଦିବାଲୋକରେ ପୋଲ କାଟି ଗାଡିରେ ଗାଡ଼ିରେ ଲୋଡ୍ କରି ନେଇ ଯାଇଥିଲେ। ଏହି ଘଟଣା ନାସିରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଅମିଆବର୍ରେ ଘଟିଥିଲା।
୧୯୭୨ ମସିହାରେ ୫୦ ବର୍ଷ ତଳେ ଆରା କେନାଲ ଉପରେ ଏହି ଲୁହା ପୋଲ ନିର୍ମାଣ କରାଯାଇଥିଲା। ଲୁହା ପୋଲଟି କଳଙ୍କି ଲାଗି ଯାଇଥିଲା। ତେଣୁ ବିଭାଗ ତରଫରୁ ଏକ କଂକ୍ରିଟ୍ ପୋଲ ତିଆରି କରାଯାଇଥିଲା । ଗ୍ରାମବାସୀମାନେ ବହୁ ବର୍ଷ ଧରି ଏହି ପୁରୁଣା ଲୁହା ପୋଲକୁ ହଟାଇବା ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ଚୋରମାନେ ଏହାର ସୁଯୋଗ ନେଇ ଏହାକୁ ଚୋରାଇ ନେଇଥିଲେ।