Categories: ଫୁରସତ

ଗଛ ଭଳି ଖାଦ୍ୟ ପ୍ରସ୍ତୁତ କରେ ସମୁଦ୍ର ସ୍ଲଗ୍‌

ୱାଶିଂଟନ: ସମୁଦ୍ରରେ ଅନେକ ଜୀବ ଅଛନ୍ତି। ବହୁତ ଜୀବଙ୍କ ବାବଦରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଭଲ ଭାବରେ ଜାଣିପାରି ନାହାନ୍ତି। ବୈଜ୍ଞାନିକମାନେ ସମୁଦ୍ରରେ ଏପରି ଏକ ଜୀବକୁ ପାଇଛନ୍ତି, ଯିଏ ଅନ୍ୟ ଜୀବଙ୍କୁ ଖାଇ ଗଛ ପରି ଖାଦ୍ୟ ପ୍ରସ୍ତୁତ କରିଥାଏ। ସମୁଦ୍ର ସ୍ଲଗ୍‌ ନାମକ ଏକ ଜୀବ ଶରୀରରେ କ୍ଲୋରୋଫିଲ୍‌ ରହିଛି। ଏହାର ଉପଯୋଗ ସେ ସୂର୍ଯ୍ୟକିରଣ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଏ। ସମୁଦ୍ର ସ୍ଲଗ୍‌ ସମ୍ପୂର୍ଣ୍ଣ ଗଛ ପରି  ଫଟୋସିନ୍ଥେସିସ ପ୍ରକ୍ରିୟାର ଉପଯୋଗ କରିଥାଏ। ପ୍ରକୃତରେ ଏହି ଜୀବ ଶରୀରରେ ପଥମରୁ କ୍ଲୋରୋଫିଲ୍‌ ନ ଥାଏ। ସେ ତା’ ଜୀବନ କାଳରେ ଅନେକ ବନସ୍ପତି ବୃକ୍ଷ ଖାଇ ଖାଇ କ୍ଲୋରୋଫିଲ୍‌ ହାସଲ କରିଥାଏ। ଏହି କାରଣରୁ ଏମାନଙ୍କୁ ସମୁଦ୍ର ସ୍ଲଗ୍‌ କୁହାଯାଏ। ସେ ଅନ୍ୟ ଜୀବଙ୍କୁ ଖାଇ ପଚାଇବା ପରେ ସେଥିରୁ କ୍ଲୋରୋପ୍ଲାଷ୍ଟକୁ ଅଲଗା କରିଥାଏ ଏବଂ ପରେ ନିଜ କୋଷରେ ତାକୁ ସମାହିତ କରିଦିଏ। ଏହାପରେ ସେମାନଙ୍କୁ କେବଳ ସୂର୍ଯ୍ୟ କିରଣର ଆବଶ୍ୟକ ପଡ଼ିଥାଏ। ଏମାନଙ୍କ ପାଖରେ ଏପରି ଅଦ୍ଭୁତ କ୍ଷମତା ଥିବାରୁ ଏମାନଙ୍କୁ ସୌର ଊର୍ଜା ଥିବା ସମୁଦ୍ର ସ୍ଲଗ୍‌ କୁହାଯାଏ। ସେମାନେ ଏପରି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସଂଗୃୃହୀତ କ୍ଲୋରୋପ୍ଲାଷ୍ଟରୁ ଜିନ୍‌କୁ ମଧ୍ୟ ନେଇଥାନ୍ତି। ଏଥିରେ ନିଜ ଡିଏନ୍‌ଏକୁ ମଧ୍ୟ ମିଶାଇଥାନ୍ତି। ଏମାନେ ଜିନ୍‌ ଟ୍ରାନ୍ସଫର କରିବାର ଅଦ୍ଭୁତ ଉଦାହରଣ ଅଟନ୍ତି। ଅଧିକାଂଶ ସମୁଦ୍ର ସ୍ଲଗ୍‌ ଆମେରିକା ଏବଂ କାନାଡାର ପୂର୍ବତଟର ଲୁଣି ଦଳ ଏବଂ ପୋଖରୀ ଆଦିରେ ଦେଖିବାକୁ ମିଳିଥାଏ। ଏମାନଙ୍କ ଲମ୍ବ ୨ରୁ ୩ ସେମି ହୋଇଥିବାବେଳେ ଏମାନେ ୬ ସେମି ପର୍ଯ୍ୟନ୍ତ ବଢିପାରନ୍ତି।

Share