Categories: ଜାତୀୟ

ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ନେଲା ଭୟଙ୍କର ରୂପ,୧୫ ଜୁନ୍‌ ଅପରାହ୍ନରେ ସୌରାଷ୍ଟ୍ର-କଚ୍ଛ ଉପକୂଳ ଦେଇ ଗତି କରିବ…

ନୂଆଦିଲ୍ଲୀ,୧୧।୬ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଭୟଙ୍କର ରୂପ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସକାଳେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଗୁଜରାଟର ପୋରବନ୍ଦର ଠାରୁ ୪୮୦ କିଲୋମିଟର, ଦ୍ୱାରକା ଠାରୁ ୫୩୦ କିଲୋମିଟର ଏବଂ ନଲିଆଠାରୁ ୬୧୦ କିଲୋମିଟର ଦୂରରେ ଏହା ରହିଛି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ଜରୁରୀକାଳୀନ ଅପରେଶନ କେନ୍ଦ୍ର ପରିଦର୍ଶନ କରି ସାଇକ୍ଲୋନ ବିପର୍ଯ୍ୟୟ ବିଷୟରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ସମସ୍ତ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମଧ୍ୟ କରିଥିଲେ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ ୧୫ ଅପରାହ୍ନରେ ଏହି ଝଡ଼ ସୌରାଷ୍ଟ୍ର-କଚ୍ଛ ଏବଂ ପାକିସ୍ତାନ ଉପକୂଳ ଦେଇ ପାର ହୋଇପାରେ।

ଆଇଏମଡି ଆହୁରି ମଧ୍ୟ କହିଛି ଗୁରୁବାର ଏହି ସମୟରେ ସୌରାଷ୍ଟ୍ର ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୫୫-୬୫ କିଲୋମିଟର ବେଗ ହେବା ସହ ଏହା ୭୫ କିଲୋମିଟର ବେଗରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିପାରେ।

ଆଇଏମଡି ଜୁନ ୧୫ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଧୀବରଙ୍କୁ ମାଛ ଧରିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଉପରେ ତୀକ୍ଷଣ ନଜର ରଖାଯାଇଛି।

Share