ଆମେରିକାରେ ଶେଷ ହୋଇଥିଲା ପ୍ରୀତିଙ୍କ ଜୀବନସାଥୀ ସନ୍ଧାନ…

ମୁମ୍ବାଇ, ୩୧।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦଥାପିଛନ୍ତି। ୧୯୭୫ ଜାନୁୟାରୀ ୩୧ରେ ସେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପ୍ରୀତମ ସିଂ ଜିଣ୍ଟା। ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ପିତା ଦୁର୍ଗାନନ୍ଦ ଜିଣ୍ଟାଙ୍କୁ ହରାଇଥିଲେ। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଗାନନ୍ଦ ଭାରତୀୟ ସେନାରେ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ପ୍ରୀତି ଜିଣ୍ଟା ବିଦେଶରେ ପାଠପଢ଼ା ଶେଷ କରିବା ପରେ ଫିଲ୍ମ ‘ଦିଲ ସେ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସଫଳ ରହିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଅଭିନୀତ ସୋଲଜର୍‌, ସଂଘର୍ଷ, ମିଶନ କଶ୍ମୀର, ଦିଲ୍‌ ଚାହାତା ହୈ, ଚୋରି ଚୋରି ଚୁପ୍‌କେ ଚୁପ୍‌କେ, ଦିଲ୍‌ ହୈ ତୁହ୍ମାରା, କୋଇ ମିଲ୍‌ ଗୟା, କଲ୍‌ ହୋ ନା ହୋ, ବୀର୍‌ ଜରା, ସଲାମ୍‌ ନମସ୍ତେ, କଭି ଅଲବିଦା ନା କହେନା ଆଦି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୦୪ରେ ପ୍ରୀତି ୨ ଥର ନିଶ୍ଚିତ ମୃତ୍ୟୁ ମୁହଁରୁ ରକ୍ଷା ପାଇଥିଲେ। କଲୋମ୍ବୋରେ ଏକ କନସର୍ଟରେ ସେ ଯୋଗଦେଇଥିଲେ। ଏଠାରେ ବିସ୍ଫୋରଣ ହେବାରୁ ପେଣ୍ଡାଲ ଉଡିଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପ୍ରୀତି ରକ୍ଷା ପାଇଥିଲେ। ସେହିପରି ଥାଇଲାଣ୍ଡରେ ଛୁଟି କଟାଉଥିବାବେଳେ ସେଠାରେ ସୁନାମୀ ଆସିଥିଲା। ତେବେ ପ୍ରୀତିଙ୍କର କୌଣସି କ୍ଷତି ହୋଇ ନ ଥିଲା। ପ୍ରୀତିଙ୍କ ରିଲ୍‌ ଲାଇଫ୍‌ ଭଳି ତାଙ୍କ ଲଭ ଲାଇଫ ମଧ୍ୟ ରୋମାଞ୍ଚଭରା। ଉପଯୁକ୍ତ ଜୀବନସାଥୀ ଖୋଜି ବୁଲୁଥିବା ପ୍ରୀତିଙ୍କ ସନ୍ଧାନ ଆମେରିକାରେ ଶେଷ ହୋଇଥିଲା। ୨୦୧୬ରେ ସେ ଆମେରିକୀୟ ବ୍ୟବସାୟୀ ଜିନ ଗୁଣ୍ଡଫ୍‌ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share