Categories: ଜାତୀୟ

ମଣିପୁରରେ ତଲାସି ଅଭିଯାନ ଜାରି

ଇମ୍ଫାଲ, ୨୭ା୬: ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ଗିରଫ କରିଥିବା ୧୨ ଜଣ ଉଗ୍ରପନ୍ଥୀଙ୍କୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ଊର୍ଦ୍ଧ୍ୱ ଲୋକେ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍‌ପି, କାକ୍‌ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବଳ ୧୨ଟି ବଙ୍କର ଧ୍ୱଂସ କରିବା ସହ ୬ଟି ମୋର୍ଟାଲ ସେଲ୍‌ ଜବତ କରିଛି। ତଲାସି ସମୟରେ ସାହୁମ୍ଫାଇସ୍ଥିତ ଏକ ଧାନଜମିରୁ ୩ଟି ୫୧ ଏମ୍‌ଏମ୍‌ ଏବଂ ଅନ୍ୟ ୩ଟି ୮୪ଏମ୍‌ଏମ୍‌ ମୋର୍ଟାଲ ସେଲ୍‌ ମିଳିଥିଲା। ବିଷ୍ଣୁପୁର ଜିଲାର କାଙ୍ଗଭାଇ ଏବଂ ଏସ୍‌. କୋଟଲିଆନ୍‌ ଗ୍ରାମ ନିକଟରୁ ଆଇଇଡି ଜବତ ହୋଇଛି। ବୋମା ନିଷ୍କ୍ରିୟକାରୀ ଟିମ୍‌ ସେଗୁଡ଼ିକୁ ଅକାମୀ କରିଦେଇଛି। ମଣିପୁର ହିଂସାକାଣ୍ଡ ଆରମ୍ଭ ହେବା ଦିନରୁ ବର୍ତ୍ତମାନ ସୁଦ୍ଧା ୧,୧୦୦ ଅସ୍ତ୍ରଶସ୍ତ୍ର, ୧୩,୭୦୨ ଗୁଳିଗୋଳା ଓ ୨୫୦ ବୋମା ଜବତ ହେଲାଣି। ହିଂସା ମାମଲାରେ ପୋଲିସ ୧୩୫ ଜଣଙ୍କୁ ଗିରଫ କରିଛି। ମଣିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବାବେଳେ ଏହାକୁ ୩୦ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ ଶାନ୍ତି ଓ ଆଇନ ଶୃଙ୍ଖଳା ସ୍ଥିତିରେ ବ୍ୟାଘାତ ନ ହେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Share