ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭ ବର୍ଷ ବୟସରେ ମହାକାଶ ଗବେଷଣା କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛନ୍ତି। ମହାକାଶ ସମ୍ପର୍କରେ ଜାଣିବାର ଜିଜ୍ଞାଷା ଯୋଗୁ ଏବେ ଦୁନିଆର ସର୍ବ କନିଷ୍ଠ ଜ୍ୟୋର୍ତିବିଜ୍ଞାନ ପାଲଟିଛନ୍ତି। ଗୋଟିଏ ନୁହେଁ ଦୁଇଟି ନୁହେଁ ସେ ୭ଟି ଗ୍ରହାଣୁପିଣ୍ଡ ଖୋଜି ବାହାର କରିଛନ୍ତି।
ନିକୋଲ ଆମେରିକୀୟ ସ୍ପେସ ଏଜେନ୍ସି ଏବଂ ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ସହଯୋଗର ହୋଇଥିବା କାର୍ଯ୍ୟକ୍ରମ ’ଆଷ୍ଟ୍ରଏଡ ହଣ୍ଟ’ରେ ସେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ୨ ବର୍ଷ ହୋଇଥିଲା। ସେବେଠାରୁ ମହାକାଶ ସମ୍ପର୍କରେ ଜାଣିବା ଲାଗି ତାଙ୍କର ଉତ୍ସାହ ବୃଦ୍ଧି ପାଇଥିଲା।
ନିକଟରେ ନିକୋଲ ବ୍ରାଜିଲର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଜ୍ୟୋର୍ତିବିଜ୍ଞାନ ଏବଂ ଏରୋନେଟିକ୍ସ ଉପରେ ପ୍ରଥମ ଅନ୍ତର୍ଜାତୀୟ ସେମିନାରରେ ଭାଷଣ ଦେବାର ସୁଯୋଗ ମଧ୍ୟ ପାଇଥିଲେ। ସେ ନିଜ ସହରର ବିଦ୍ୟାଳୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ବକ୍ତୃତା ଦେଇଥାନ୍ତି। ଏବେ ସୋସିଆଲ୍ ମିଡ଼ିଆରେ ନିକୋଲଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି।